ହନୁମାନଙ୍କ ଜନ୍ମଭୂମି ଲାଗି ବିବାଦ ଆରମ୍ଭ

ହାଇଦ୍ରାବାଦ: ଦୀର୍ଘ ଦଶନ୍ଧି ଧରି ରାମ ଜନ୍ମଭୂମିକୁ ନେଇ ଚାଲିଥିବା ବିବାଦରେ କୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ହେଲେ ଏବେ ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦୁଇ ସଂଗଠନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ହନୁମାନ ଜନ୍ମଭୂମି ବିବାଦ ଅବଶ୍ୟ ଦୁଇ ଭିନ୍ନ ଧର୍ମୀୟ ସଂସ୍ଥା ମଧ୍ୟରେ ସୃଷ୍ଟି ହୋଇନାହିଁ। ହିନ୍ଦୁ ଧର୍ମର ଦୁଇଟି ଟ୍ରଷ୍ଟ ହନୁମାନ ଜନ୍ମଭୂମି ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଲଢ଼େଇ କରୁଛନ୍ତି। ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକାରେ ଥିବା ଦୁଇଟି ହିନ୍ଦୁ ଟ୍ରଷ୍ଟ ହନୁମାନଙ୍କ ଜନ୍ମ ସ୍ଥାନ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହନୁମାନଙ୍କ ଜନ୍ମସ୍ଥାନ ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଆନ୍ଧ୍ରର ତିରୁମାଲା ତିରୁପତି ଦେବସଂସ୍ଥାନମ ବା ଟିଟିଡି ପକ୍ଷରୁ ଅଞ୍ଜନାଦ୍ରି ମନ୍ଦିରର ବ୍ୟବସ୍ଥାକୁ ଅଧିକ ବିକଶିତ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ତିରୁମାଲା ହିଲ୍ସରେ ଥିବା ଏହି ମନ୍ଦିର ଓ ତୀର୍ଥସ୍ଥାନରେ ପ୍ରତିବର୍ଷ ରାମ ନବମୀ ପାଇଁ ଉତ୍ସବ ଆୟୋଜନ ହୋଇଥାଏ। ଏଠାରେ ହନୁମାନ ଜନ୍ମ ଗ୍ରହଣ କରିଥିଲେ ବୋଲି ଟ୍ରଷ୍ଟ ଦାବି କରି ଆସୁଛି।
ତେବେ ଆନ୍ଧ୍ର ଟ୍ରଷ୍ଟର ଏହି ଦାବିକୁ କର୍ଣ୍ଣାଟକାର ଶ୍ରୀ ହନୁମଦ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗ୍ରହଣ କରୁନାହିଁ। ଏହାକୁ ବିରୋଧ କରି ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ତିରୁମାଲା ଯିବାର ଅଛି। ଟ୍ରଷ୍ଟ ଦାବି କରିଛି ଯେ ବାଲ୍ମିକୀ ରାମାୟଣରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି ଯେ ହନୁମାନ କିସ୍କିନ୍ଧାର ଅଞ୍ଜନାହାଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ଏହି ସ୍ଥାନଟି କର୍ଣ୍ଣାଟକାର ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା ନଦୀ କୂଳରେ ରହିଥିବା ବିଶ୍ୱାସ କରାଯାଏ।
ଗତବର୍ଷ ମେ’ ମାସରେ ହନୁମାନ ଜନ୍ମଭୂମିକୁ ନେଇ ଚାଲିଥିବା ବିବାଦର ସାମାଧାନ ପାଇଁ ଉଦ୍ୟମ ହୋଇଥିଲା। ହେଲେ ଉଭୟ ଟ୍ରଷ୍ଟ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ସୁଫଳ ମିଳି ନଥିଲା। ଟିଟିଡିର ଗୋଟିଏ କମିଟି କହିଛି ଯେ ବିଭିନ୍ନ ପ୍ରକାରର ପୁରାଣ ଓ କପ୍ପର ପ୍ଲେଟରେ ଖୋଦେଇ ହୋଇଥିବା ତଥ୍ୟ ଅନୁସାରେ ଅଞ୍ଜନାଦ୍ରି ବା ବର୍ତ୍ତମାନର ତିରୁମାଲାରେ ହନୁମାନ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଇଛି। ଏପ୍ରିଲ ମାସରେ ଟିଟିଡି ଗୋଟିଏ ବୁକଲେଟ ମଧ୍ୟ ଉନ୍ମୋଚନ କରି କମିଟି ରିପୋର୍ଟକୁ ସାର୍ବଜନୀନ କରିଥିଲା।
ହେଲେ ଏହାକୁ କାଉଣ୍ଟର କରିବା ପାଇଁ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୬ ପୃଷ୍ଠାର ଚିଠି ଟିଟିଡିକୁ ଲେଖାଯାଇଥିଲା। ସେବେଠାରୁ ଏହାକୁ ନେଇ ବିତର୍କ ଚାଲିଛି।
ଏବେ ଟିଟିଡି ବୁଧବାର ଆୟୋଜନ କରିବାକୁ ଯାଉଥିବା କାର୍ଯ୍ୟକ୍ରମରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିବ। ଏଥିସହ ମଧ୍ୟପ୍ରଦେଶର ଚିତ୍ରକୁଟରେ ରହୁଥିବା ସ୍ୱାମୀଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସ୍ୱାମୀଜୀ ଦେଖି ପାରନ୍ତି ନାହିଁ। କିନ୍ତୁ ସେ ପୁରାଣ ଉପରେ ଗଭୀର ଜ୍ଞାନ ରଖିଥିବା କୁହାଯାଉଛି।

nis-ad
Leave A Reply

Your email address will not be published.