ପଞ୍ଚାୟତ ନିର୍ବାଚନ : ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ଲାଗିବ ସିସିଟିଭି

ଭୁବନେଶ୍ୱର : ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ । ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଷ୍ଟ୍ରଙ୍ଗରୁମ୍ ବାହାରେ ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ । ମତଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ ମିନିଟ୍ ପୂର୍ବରୁ ଗଣନାକାରୀ ଅଧିକାରୀ ସମ୍ପୃକ୍ତ କେନ୍ଦ୍ରରେ ଉପସ୍ଥିତ ରହିବେ ।

ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ । ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟ ଠାରୁ ସଂପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦୁଇ ଦିନ ବାକି ଥିଲା ବେଳେ ରାଜ୍ୟ ନିର୍ବାଚନ ଆୟୋଗ ଏହି ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହାକୁ କଡ଼ାକଡି ଭାବେ ପାଳନ କାରବାକୁ ନିର୍ଦେଶ ଦେଇଛନ୍ତି । ନିର୍ବାଚନ ଅଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ । ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏଇ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀଙ୍କର ଗୁରୁବାୟିତ୍ଵ ରହିଛି। ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ ତୀକ୍ଷ୍ମ ଦୃଷ୍ଟି ଦେବା ସହ ଭୋଟଗଣତି କେନ୍ଦ୍ର ମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଶ୍ଚିତ ରୂପେ ଯତ୍ନବାନ ହେବା ଉଚିତ। ଶ୍ରୀ ପାଢ଼ୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ହେବ। ଏଥିପାଇଁ ନିର୍ବାଚନ ଅଧିକାରୀଙ୍କୁ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିବ। ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟ ଠାରୁ ସଂପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଥମ ନିର୍ବାଚନ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଭୋଟଗଣତି କେନ୍ଦ୍ର ନିରୂପଣ କରିବା ଉଚିତ। ଯେଉଁଠାରେ ପର୍ଯ୍ୟାପ୍ତ ସ୍ଥାନ ଥିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଗଣତି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ସହଜରେ ଭୋଟଗଣତି କାର୍ଯ୍ୟ ସଂପାଦନ କରିପାରିବେ। ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀର ଭୋଟଗଣତି କାର୍ଯ୍ୟ ଗୋଟିଏ ବଡ଼ ହଲ୍‌ରେ କରାଯିବ । ବ୍ଲକ ମୁଖ୍ୟାଳୟରେ ମତଗଣନା କାର୍ଯ୍ୟ ତିନିଦିନ ଧରି ଚାଲିବ । ଗୋଟିଏ ବ୍ଲକ୍ ସମସ୍ତ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟଗୁଡ଼ିକର ଗଣତି କାର୍ଯ୍ୟ ତିନିଦିନ ମଧ୍ୟରେ ଶେଷ ହେବ ।ପ୍ରତ୍ୟେକ ବ୍ଲକରେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଗୋଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯିବ ତାହା ନିରୂପଣ କରିବେ। ଏସସିସି ପୁଣି କହିଛନ୍ତି ଯେ, କୌଣସି ଏକ ବ୍ଲକ୍‌ର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ତିନିରୁ ଅଧିକ ଅଛି, ସେଠାରେ ନିଶ୍ଚିତ ଭାବେ ଏକରୁ ଅଧିକ ମତଗଣନା କେନ୍ଦ୍ର ହେବ ।

ଗୋଟିଏ ବ୍ଲକ୍‌ର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ତିନି ଦିନ ମଧ୍ୟରେ ଶେଷ କରିବା ଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମତଗଣନା କେନ୍ଦ୍ର ବ୍ଲକ୍ ମୁଖ୍ୟାଳୟ ନିକଟରେ ହେବା ଉଚିତ । ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ, ତାହେଲେ ବ୍ଲକ୍ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର, ବିଶେଷକରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବା ଉଚିତ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ଵାର ରହିବା ଉଚିତ । ଏତଦ୍‌ବ୍ୟତୀତ ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ଏକ ବଡ଼ କୋଠରୀ ରହିବା ନିତାନ୍ତ ଜରୁରୀ । ଏଠାରେ ଭୋଟ ଗ୍ରହଣ ପରେ ଭୋଟବାକ୍ସ ସହ ଭୋଟ ଗ୍ରହଣ ସଂପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ। ମତଗଣନା କେନ୍ଦ୍ର ଚିହ୍ନଟ କରିବା ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ, ରାମ୍ପ, ପରିସ୍ରାଗାର ଓ ପାନୀୟଜଳର ସୁବିଧା ଦିଗରେ ଦୃଷ୍ଟି ଦେବା ଉଚିତ ।

ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରାଯିବାକୁ ନିର୍ବାଚନ କମିଶନ ସଂପୂର୍ଣ୍ଣ ବାରଣ କରିଛନ୍ତି । ରାଜନୈତିକ ଦଳମାନେ ଯଦି ଚାହାନ୍ତି ଷ୍ଟ୍ରଙ୍ଗରୁମ୍‌ର ବାହାରେ ଚିହ୍ନଟ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମକୁ ନଜର ରଖିପାରିବେ ବୋଲି ନିର୍ବାଚନ କମିଶନ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ। ଶ୍ରୀ ପାଢ଼ୀ ଏଇ ପ୍ରସଙ୍ଗରେ କହିଛନ୍ତି ଯେ, ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ । ସୂଚନା ପ୍ରଦାନ ନିମନ୍ତେ ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ର (ମାଇକ)ର ବ୍ୟବସ୍ଥା କରିବା ଦରକାର । ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫X୨୦’ ଫୁଟ ହେବା ଉଚିତ । ସେଠାରେ ୮ଟି ଗ୍ରାମପଞ୍ଚାୟତର ଭୋଟଗଣତି ଗୋଟିଏ ହଲ୍‌ରେ କରାଯାଇପାରିବ। ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ ।

ନିର୍ବାଚନରେ ପ୍ରତିର୍ଦ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗରୁମ୍ଭର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଏତଦ୍‌ବ୍ୟତୀତ ମତଗଣନାର ୭୨ ଘଣ୍ଟା ପୂର୍ବରୁ ମତଗଣନା ସଂପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ। ଗୋଟିଏ ମତଗଣନା ଟେବୁଲ୍ ପାଇଁ ନିର୍ବାଚନ ଅଧିକାରୀ ଜଣେ କାଉଁଟିଙ୍ଗ ସୁପରଭାଇଜାଗ, ଦୁଇଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିୟୋଜିତ କରିବେ। ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଇ ଏଜେଣ୍ଟ ନିଯୁକ୍ତ କରିପାରିବେ। ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲହୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ଗ୍ରାମ ପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଙ୍ଗ ଏଜେଣ୍ଟ ନିଯୁକ୍ତ କରିପାରିବେ। ନିର୍ବାଚନ କମିଶନରଙ୍କ ଦ୍ଵାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ । ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ।

nis-ad
Leave A Reply

Your email address will not be published.