ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ ସପା ନେତା, ଭିଡିଓ ଭାଇରାଲ୍ ହେବା ପରେ ମାମଲା ରୁଜୁ

ପ୍ରୟାଗରାଜ ୧୨।୦୨: ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି। ବାକି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଯେଣତେଣ ପ୍ରକାରରେ ୟୁପି ଗାଦି ହାସଲ କରିବାକୁ ଚାହୁଁଛନ୍ତି ସବୁ ଦଳ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗିବା ପରେ ନିର୍ବାଚନ ଆୟୋଗ ଭୋଟ୍ ବଦଳରେ ନୋଟ୍ ବାଣ୍ଟିବା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କିଛି ଜାଗାରେ ଟଙ୍କା ବଣ୍ଟାଯିବା ମାମଲା ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟିର ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାର ସୂଚନା ମିଳିବା ପରେ ହଣ୍ଡିଆ ପୋଲିସ ସପାର ଜିଲ୍ଲା ଅଧ୍ୟକ୍ଷ ସମେତ ଅନ୍ୟଙ୍କ ବିରୋଧରେ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଛି।

ପୋଲିସ ସମାଜବାଦୀ ପାର୍ଟିର ଜିଲ୍ଲା ମଣ୍ଡଳୀର ଅଧ୍ୟକ୍ଷ ରମାକାନ୍ତ ବିଶ୍ଵକର୍ମା, ଅଭିମନ୍ୟୁ ଯାଦବ, ଭବନ ଯାଦବ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛି। ଏହି ସବୁ ନେତା ଟଙ୍କା ବାଣ୍ଟୁଥିବାର ଏକ ମିନିଟ୍ ୫୨ ସେକେଣ୍ଡର ଭିଡିଓ ଭାଇରାଲ୍ ହୋଇଛି। ସପା ନେତା ହଣ୍ଡିଆରେ ପାର୍ଟିର କାର୍ଯ୍ୟାଳୟରେ ଶତାଧିକ ଲୋକଙ୍କୁ ରୁଣ୍ଡ କରି ଟଙ୍କା ବାଣ୍ଟୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଯେ, ନେତା ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ।

ତଦନ୍ତରେ ଉକ୍ତ ନେତାମାନେ ଟଙ୍କା ବାଣ୍ଟୁଥିବା କଥା ସତ୍ୟ ପ୍ରମାଣିତ ହୋଇଛି। ଏହି ଆଧାରରେ ସଭିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ବିଶ୍ଵଶର୍ମାଙ୍କ କହିବା କଥା ଏହି ଭିଡିଓ କିଛି ଦିନ ତଳର। ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଦିନ ଗାଡିରେ ପେଟ୍ରୋଲ  ପକାଇବା ପାଇଁ ଟଙ୍କା ଦିଆଯାଏ। କୌଣସି ମତଦାତାଙ୍କୁ ଟଙ୍କା ବଣ୍ଟା ଯାଇ ନାହିଁ। ନିର୍ବାଚନରେ କାମ କରୁଥିବା ତାଙ୍କ କର୍ମୀଙ୍କୁ  ହିଁ ସେ ଟଙ୍କା ଦେଉଥିଲେ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.