ମମତାଙ୍କ ଅଡ଼ୁଆ ବଢାଉଛନ୍ତି ପୁତୁରା ଅଭିଷେକ ବାନାର୍ଜୀ

କୋଲକାତା: ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହ ଦଳୀୟ ନେତାଙ୍କ ମତଭେଦ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳ ତୀବ୍ର ହେବା ପୂର୍ବରୁ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମମତା। ଏଥିପାଇଁ ଆଜି ସନ୍ଧ୍ୟାରେ ସେ ଦଳୀୟ ନେତାଙ୍କ ନେଇ ଜରୁରୀ ବୈଠକ ଡାକିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ କହିଛନ୍ତି, ମମତା ହେଉଛନ୍ତି ଆମ ଦଳର ଏକମାତ୍ର ସର୍ବୋଚ୍ଚ ନେତା। ଆଜି ସେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ସହ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଏହି ଜରୁରୀ ବୈଠକ ପାଇଁ ଡାକିଛନ୍ତି। ଆଜି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ।
ସେ କହିଛନ୍ତି, ମମତାଙ୍କ ବ୍ୟତୀତ ଆମ ଦଳରେ ଆଉ କେହି ନେତା ନାହାନ୍ତି। ସେ ଯାହା କହିବେ ଦଳ ତାହା ପାଳନ କରିବ। ଦଳ ଓ ଏହାର ନେତାମାନେ ମମତାଙ୍କ ନେତୃତ୍ୱରେ ବିଜୟ ଲାଭ କରୁଛନ୍ତି।
ବିଧାନ ନଗର ମ୍ୟୁନ୍ସିପାଲ କର୍ପୋରେଶନ ନିର୍ବାଚନରେ ଆସିଥିବା ରିଗିଂ ଅଭିଯୋଗକୁ ଜ୍ୟୋତିପ୍ରିୟ ମଲ୍ଲିକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ପୁଲିସ ଠିକ୍ କାମ କରୁଛି। କେନ୍ଦ୍ରୀୟ ପୁଲିସ ଠାରୁ ବି ରାଜ୍ୟ ପୁଲିସ ଭଲ କାର୍ଯ୍ୟ କରୁଛି।
ସୂଚନା ଅନୁଯାୟୀ, ଲୋକସଭା ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଛି। ଦଳରେ ଅଭିଷେକ ବାନାର୍ଜୀଙ୍କ ସମର୍ଥକ ଏବଂ ଆଉ ଏକ ଗୋଷ୍ଠୀ ମଧ୍ୟରେ କନ୍ଦଳ ତୀବ୍ର ହୋଇଛି। ସୋଶାଲ ମିଡିଆରେ ଦୁଇ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ #IsupportOnePersonOnePost କ୍ୟାମ୍ପେନ ଆରମ୍ଭ ହୋଇଛି। ଗତ ବର୍ଷ ଟିଏମସିର ବିଜୟ ପରେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଦଳରେ ‘ୱାନ୍ ପର୍ସନ ୱାନ୍‌ ପୋଷ୍ଟ’ ନୀତି ଘୋଷଣା କରିଥିଲେ। ଏହା ପରେ ଦଳର ଜିଲ୍ଲାସ୍ତରୀୟ କମିଟି ଗୁଡ଼ିକୁ ଭଙ୍ଗାଯାଇ ଛୋଟ ଛୋଟ କରାଯିବା ସହ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇଥିଲା। ସେବେଠାରୁ ଦଳୀୟ ନେତା ଦୁଇ ଭାଗ ହୋଇ କନ୍ଦଳ ଆରମ୍ଭ କରି ଦେଇଛନ୍ତି।

nis-ad
Leave A Reply

Your email address will not be published.