ମମିତା ମେହେର ହତ୍ୟା ମାମଲାରେ ୨ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ବଲାଙ୍ଗିର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗିର ପୁଲିସ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ନାମରେ କେବଳ ୩ଟି ଦଫା ଲଗାଯାଇଛି । ପୂର୍ବ ଯୋଜନା ମୁତାବକ ସେମାନେ ମମିତାଙ୍କୁ ହତ୍ୟା କରିଥିଲେ ଏବଂ ପରେ ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ।

ତେଣୁ ଉଭୟଙ୍କ ବିରୋଧରେ ଆଇପିସି ୨୦୧, ୩୦୨ ଓ ୧୨୦(ବି) କ୍ରମେ ମାମଲାର ତଦନ୍ତ ଅଧିକାରୀ ଡିଏସ୍‌ପି ବଟକୃଷ୍ଣ ମିଶ୍ର ଶୁକ୍ରବାର ସଂଧ୍ୟାରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି ।

ଗୋବିନ୍ଦ ସାହୁକୁ ଗିରଫ କରି କୋର୍ଟଚାଲାଣକୁ ଆସନ୍ତା ୧୫ତାରିଖରେ ୧୨୦ଦିନ ପୂରିଥାନ୍ତା । ନିର୍ଦ୍ଧାରିତ ସମୟର ଚାରିଦିନ ପୂର୍ବରୁ ଶୁକ୍ରବାର ବଲାଙ୍ଗିର ପୁଲିସ ପ୍ରାୟ ୨ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହା ଚୂଡ଼ାନ୍ତ ନାଁ ପ୍ରାଥମିକ ଚାର୍ଜସିଟ ସେ ନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ । ସେହିଭଳି ଅଭିଯୁକ୍ତ ଦ୍ୱୟଙ୍କ ସମ୍ପର୍କରେ ଅପରାଧିକ ବର୍ଣ୍ଣନା କ’ଣ ଅଧିକ ରହିଛି, ଚାର୍ଜସିଟରେ ଶିକ୍ଷାନୁଷ୍ଠାନରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ ଏବଂ ଲାପଟପ, ପେନ୍‌ ଡ୍ରାଇଭ ବିଷୟରେ ଉଲ୍ଲେଖ ଅଛି ନାଁ ନାହିଁ ସେସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅପରପକ୍ଷେ, ଗୋବିନ୍ଦ ସାହୁ ହାଇକୋର୍ଟରେ ଜାମିନ ପାଇଁ ଗତ ୬ତାରିଖରେ ଆବେଦନ କରିଛି । ତିନି ସପ୍ତାହ ପରେ ଜାମିନ ଆବେଦନ ଶୁଣାଣି ପାଇଁ ହାଇକୋର୍ଟ ତାଲିକାରେ ଅନ୍ତର୍ଭୁକ୍ତ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମହାଲିଙ୍ଗ ଯାଉଥିବା କହି ଗତ ଅକ୍ଟୋବର ୮ତାରିଖରେ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଅନେକ ବାଦବିବାଦ ପରେ ଅକ୍ଟୋବର ୧୩ତାରିଖରେ ସିନେ୍ଧକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ଏତାଲ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଘରୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲା । ଗତ ଅକ୍ଟୋବର ୧୭ତାରିଖରେ ଅଟକ ଥିବା ଅବସ୍ଥାରେ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲା । ଏହାପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଗୋବିନ୍ଦକୁ ଖୋଜିବା ସହ ତା’ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା ।

ଅପରପକ୍ଷେ ଅକ୍ଟୋବର ୧୯ତାରିଖରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡ଼ିୟମ ଭିତରୁ ମମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ଅଧପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏଣେ ପୁଲିସ ଏକ ଆଖୁକିଆରୀରୁ ଗୋବିନ୍ଦକୁ ଗିରଫ କରିବା ପରେ ୨୦ତାରିଖରେ କୋର୍ଟଚାଲାଣ କରିଥିଲା । ତାର ଗୋଟିଏଦିନ ପରେ ସହଯୋଗୀ ତଥା ଗୋବିନ୍ଦର ବ୍ୟକ୍ତିଗତ ଡ୍ରାଇଭର ରାଧେ ଓରଫ ରାଧେଶ୍ୟାମ ଚଣ୍ଡୀକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ଉଭୟଙ୍କୁ ପୁଲିସ ରିମାଣ୍ଡରେ ଆଣି ପଚରାଉଚୁରା କରିବା ସହ ସିନ୍‌ ରିକ୍ରିଏସନ କରିଥିଲା । ଇତିମଧ୍ୟରେ ଗୋବିନ୍ଦ ଦୁଇଥର ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଥିଲା ।

ଗତ ଦୁଇଦିନ ତଳେ ଗୋବିନ୍ଦ ସାହୁକୁ ପୁଲିସ ବାରାକରୁ ଫେରାର ହେବା ଘଟଣାରେ ଟିଟିଲାଗଡ଼ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଗିରଫ ହେବାର ୧୨୦ଦିନ ପୁରିବା ପୂର୍ବରୁ ଆଜି ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି । ଯଦି ଚାର୍ଜସିଟ ଦାଖଲରେ ବିଳମ୍ବ ହୋଇଥାନ୍ତା ତାହେଲେ ଏହି ମାମଲାର ଗୁରୁତ୍ୱ ଦୁର୍ବଳ ହୋଇ ଅଭିଯୁକ୍ତର ସପକ୍ଷରେ ଯାଇଥାନ୍ତା । ତେଣୁ କଣ୍ଟ ପୂରିବାର ଚାରିଦିନ ପୂର୍ବରୁ ଆଜି ପୁଲିସ ଚାର୍ଜସିଟ ଦାଖଲ କରିଛି । ତେବେ ପୂର୍ବରୁ ତଦନ୍ତରେ ହିଁ ପୁଲିସ ଉପରକୁ ବିରୋଧି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ତେଣୁ ଚାର୍ଜସିଟରେ ତାହା କେତେ ପ୍ରତିଫଳିତ ହୋଇଛି, ତାହା ଜଣାପଡ଼ିନାହିଁ । ଏସମ୍ପର୍କରେ ବଲାଙ୍ଗିର ଏସପି ନୀତିନ କୁଶଲକରଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

nis-ad
Leave A Reply

Your email address will not be published.