କର୍ଣ୍ଣାଟକରେ ସରକାରୀ ଯୁକ୍ତ ୨ କଲେଜରେ ହିଜାବକୁ ନେଇ ବିବାଦ ତେଜିବାରେ ଲାଗିଛି

ବେଙ୍ଗାଲୋରୁ: ସେମାନେ ହିଜାବ ପିନ୍ଧିଲେ ଆମେ ଗେରୁଆ ବସ୍ତ୍ର ପକାଇ କଲେଜ ଆସିବୁ। ଆଜି ଏମିତି କିଛି ନାରା ଓ ଦାବି ନେଇ କର୍ଣ୍ଣାଟକର କିଛି ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକର ଉଡୁପି ଜିଲ୍ଲାର ବାଇଣ୍ଡୁର ସହରର ସରକାରୀ ଯୁକ୍ତ ୨ କଲେଜରେ ହିଜାବକୁ ନେଇ ବିବାଦ ତେଜିବାରେ ଲାଗିଛି। କଲେଜର ହିଜାବ ପିନ୍ଧି କ୍ଲାସ ରୁମକୁ ଆସିବାକୁ ଅନୁମତି ମିଳି ନଥିବାରୁ ମୁସଲିମ ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ହିନ୍ଦୁ ଗୋଷ୍ଠୀର ଛାତ୍ରଛାତ୍ରୀମାନେ ଏକାଠି ହୋଇ ସେମାନେ ଗେରୁଆ ରଙ୍ଗର ସ୍କାର୍ବ ପକାଇ କଲେଜ ଆସିବାକୁ ଦାବି କରିଛନ୍ତି।
ଏହି ଶୋଭାଯାତ୍ରାରେ ‘ଜୟ ଶ୍ରୀରାମ’ ନାରା ଶୁଭିଥିଲା। ଏହାକୁ ନେଇ କଲେଜ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ କଂଗ୍ରେସ-ବିଜେପି ମୁହାଁମୁହିଁ ଆରମ୍ଭ ହୋଇଛି । ଉଭୟ ମୁସଲିମ ଏବଂ ହିନ୍ଦୁ ଗୋଷ୍ଟୀ ପକ୍ଷରୁ ଅଲଗା ଅଲଗା ଶୋଭାଯାତ୍ରା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଉତ୍ତେଜନା ଆଶଙ୍କା ଥିବାରୁ କଲେଜରେ ପୁଲିସ ମୁତୟ ହୋଇଛି। ସ୍ଲୋଗାନ ଓ ନାରାବାଜି ଦେଉଥିବା ଛାତ୍ରଛାତୀମାନଙ୍କୁ ହଟାଇବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ନିମୟ ଅନୁଯାୟୀ କଲେଜ କ୍ୟାମ୍ପସକୁ ହିଜାବକୁ ଅନୁମତି ଦିଆଯାଇଥିବା ବେଳେ ଶ୍ରେଣୀ ଗୃହରେ ବାରଣ କରାଯାଇଛି। ତେବେ କର୍ଣ୍ଣାଟକର ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସ୍କୁଲ ଭିତରେ ହିଜାବ କିମ୍ବା ସ୍କାର୍ବ ପକାଇ ଆସିବା ଅନୁଚିତ। ସ୍କୁଲକୁ ସବୁ ଧର୍ମର ପିଲା ଅଧ୍ୟୟନ କରିବାକୁ ଆସିପାରିବେ। ଏଠାରେ ଯେମିତି କେହି ଭିନ୍ନ ନୁହନ୍ତି ଏହି ଭାବନା ହିଁ ସଭିଙ୍କ ମନରେ ଜାଗ୍ରତ କରେ। ସବୁ ପିଲା ଭାରତ ମାତାର ସନ୍ତାନ ବୋଲି ସେ କହିଛନ୍ତି । କିନ୍ତୁ ଧାର୍ମିକ ଗୋଷ୍ଟୀମାନଙ୍କ ଭାବନା ଭିନ୍ନ। ତେଣୁ ପରିସ୍ଥିତି ଉପରେ ନଜର ରଖିବାକୁ ମୁଁ ପୁଲିସ ପ୍ରଶାସନକୁ କହିଛି ବୋଲି ସେ କହିଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବଜରଙ୍ଗ ଦଳର ଜିଲ୍ଲା ସଚିବ ସୁରେନ୍ଦର୍ କୋଟେଶ୍ୱର କହିଛନ୍ତି, ହିନ୍ଦୁ ଛାତ୍ରଛାତ୍ରୀମାନେ ଯଦି ନାରଙ୍ଗୀ ଗାମୁଛା ପିନ୍ଧି ଆସୁଛନ୍ତି ତେବେ ପୁଲିସ ସେମାନଙ୍କୁ ମହାବିଦ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି । ସେହିଭଳି, ହିଜାବ ପିନ୍ଧି ମହାବିଦ୍ୟାଳୟରେ ପ୍ରବେଶ କରୁଥିବା ମୁସଲମାନ ଛାତ୍ରୀମାନଙ୍କୁ ପୁଲିସ ଅନୁମତି ଦେବା ଉଚିତ୍ ନୁହେଁ। ଯଦି ମହାବିଦ୍ୟାଳୟ ପ୍ରଶାସନ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି, ତେବେ ସେମାନେ ସମସ୍ତ ହିନ୍ଦୁ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ନାରଙ୍ଗୀ ସ୍କାର୍ବ ପିନ୍ଧିବାକୁ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.