
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ ଅଧୀନ ରେ ଥିବା ଭେଟ୍ଟନଈ ଅଞ୍ଚଳ ରେ ଅବାଧରେ ଦଳ ଦଳ ହୋଇ ବିରଳ କୃଷ୍ଣ ସାର ମୃଗ ବିଚରଣ କରନ୍ତି। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ର ଲୋକେ ଏହି ବିରଳ କୃଷ୍ଣସାର ମୃଗ ଦେଖିବାକୁ ଆସନ୍ତି। ଏମାନଙ୍କର ରକ୍ଷଣା ବେକ୍ଷଣା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷ୍ଣ ସାର ମୃଗର ସୁରକ୍ଷା ଓ ପାନୀୟ ଜଳ ଓ ଏମାନେ ଖାଉଥିବା ଘାସ ପାଇଁ ଅର୍ଥ ସରକାର ଯୋଗାଉଛନ୍ତି। ଖାଦ୍ୟ ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣ ପାଇଁ ରାସ୍ତା ପାର ହେବା ବେଳେ ଏହି କୃଷ୍ଣ ସାର ମୃଗ ମାନଙ୍କ ରୀତିମତ ମୃତ୍ୟୁ ଘଟିବାର ନଜିର ରହିଛି। ମୃତ୍ୟ କୃଷ୍ଣ ସାର ମୃଗ ଘଟଣା ଲୋକ ଲୋଚନକୁ ଆସିଲେ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଏ। ପ୍ରତିବର୍ଷ ସରକାର ପକ୍ଷରୁ ପକ୍ଷୀ ଓ କୃଷ୍ଣସାର ମୃଗ ଗଣନା ପାଇଁ ନିର୍ଦ୍ଧେଶ ଆସେ। ଏହି ନିର୍ଦ୍ଧେଶ କୁ ବିଭାଗୀୟ ବାବୁ ମାନେ ଗଣନା କାର୍ଯ୍ୟକ୍ରମ ସମୟରେ କେମେରା ଆଗରେ ପୋଜ ଦେଇ ଗଣନା କାର୍ଯ୍ୟକ୍ରମ କୁ ସେଠାରେ ରଖି ଦେଇ ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ବଢିଥିବା ନେଇ ସରକାର ଙ୍କୁ ସୂଚନା ଦେଉଥିବା ନେଇ ପ୍ରତି ବର୍ଷ ଚର୍ଚ୍ଚା ସାଙ୍ଗକୁ ଗଣନା ହେଉଥିବା ଅଞ୍ଚଳ ରେ ଆଲୋଚନା ବି ହୁଏ। ଆସିକା ବନାଞ୍ଚଳ ରେ ପୂର୍ବରୁ ଯେଉଁ ଭଳି ଘଞ୍ଚ ଜଙ୍ଗଲ ଥିଲା ଆଜି ମରୁଭୂମି ଭଳି ଅବସ୍ଥା ଯୋଗୁଁ ବନ୍ୟପ୍ରାଣୀ ମାନେ ଖାଦ୍ୟ ନପାଇ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳୀ ହେଉଛି ଆସିକା ୫୯ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଜଙ୍ଗଲ ରୁ ରୀତିମତ ଚୋରା କାଠ ଚାଲାଣ ହୋଇ ଗଳା ବାଟ ଦେଇ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଥିଲେ ବି ବନବିଭାଗ ଚୁପଚାପ ରହିବା ଯୋଗୁଁ ଆଜି ଜଙ୍ଗଲ ପଦା ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି।
