ସରକାରୀ ପାଣ୍ଠିରେ ପୁନରୁଦ୍ଧାର ହେବ ରାଷ୍ଟ୍ରାୟତ୍ତ କମ୍ପାନୀ: ‘ପବନ ହଂସ’ରେ ପ୍ରାୟ ୨୩୦ ନିୟୁତ ଡଲାରରୁ ୩୫୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ ଯୋଜନା
ନୂଆଦିଲ୍ଲୀ: ଆଞ୍ଚଳିକ ଦଳ ସହଯୋଗରେ କ୍ଷମତାକୁ ଫେରିବା ପରେ ଚାପରେ ଥିବା ମୋଦୀ ସରକାର ଘରୋଇକରଣ ଛାଡ଼ି ଋଗ୍ଣ ସରକାରୀ ଉଦ୍ୟୋଗରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ୨୦୨୫ରେ ଗୋଟିଏ ମାସ ମଧ୍ୟରେ, କେନ୍ଦ୍ର ସରକାର ଦୁଇଟି ରାଷ୍ଟ୍ରାୟତ୍ତ ଫାର୍ମକୁ ଘରୋଇ କମ୍ପାନୀକୁ ବିକ୍ରି କରିବାରେ ବିଫଳ ହେବା ପରେ ସେମାନଙ୍କ ପାଇଁ ପ୍ରାୟ ୧.୫ ବିଲିୟନ ଡଲାର ଆର୍ଥିକ ଉଦ୍ଧାର ପ୍ୟାକେଜ ବିନିଯୋଗ କରିବାକୁ ଯୋଜନା କରିଛନ୍ତି। ଘରୋଇକରଣ ନେଇ ଗଠିତ ଏକ ସରକାରୀ ପ୍ୟାନେଲର ସୁପାରିଶ ବିଷୟରେ ଏକ ରିପୋର୍ଟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ସମ୍ପୃକ୍ତ ମନ୍ତ୍ରଣାଳୟର ବିରୋଧ ପରେ ଅତି କମରେ ନଅଟି ରାଷ୍ଟ୍ରାୟତ୍ତ ଫାର୍ମର ଘରୋଇକରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ୯ଟି ରାଷ୍ଟ୍ରାୟତ୍ତ ଫାର୍ମ ମଧ୍ୟରେ ମାଡ୍ରାସ ଫର୍ଟିଲାଇଜର୍ସ, ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ, ଏମ୍ଏମ୍ଟିସି ଆଣ୍ଡ ଏନ୍ବିସିସି (ଇଣ୍ଡିଆ) ଆଦି ରହିଛି। ଘରୋଇକରଣ ପାଇଁ ଚିହ୍ନଟ ହୋଇଥିବା ଗୃହ ଏବଂ ନଗର ଉନ୍ନୟନ ନିଗମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଯ’ଦ୍ବାରା ଏହା ବିକ୍ରି ହେବନାହିଁ ବୋଲି ଜଣାପଡ଼ିଛି। ସରକାରୀ ପାଣ୍ଠିରେ ପୁନରୁଦ୍ଧାର ହେଉଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ମଧ୍ୟରେ ହେଲିକପ୍ଟର ଅପରେଟର ‘ପବନ ହଂସ’ ମଧ୍ୟ ରହିଛି। ଏହି କମ୍ପାନୀକୁ ବିକ୍ରି କରିବାକୁ ଚାରିଥର ବିଫଳ ପ୍ରୟାସ ପରେ ସରକାର ଏହାର ଆଧୁନିକୀକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲିକପ୍ଟର ଅପରେଟର ‘ପବନ ହଂସ’ରେ ପ୍ରାୟ ୨୩୦ ନିୟୁତ ଡଲାରରୁ ୩୫୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଜଣାପଡିଛି ।
୨୦୨୧ରେ ମୋଦୀ ସରକାର ଭାରତର ଅଧିକାଂଶ ସରକାରୀ କମ୍ପାନୀକୁ ଘରୋଇକରଣ କରିବା ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏହି ଯୋଜନା ଏତେ କଠୋର ଥିଲା ଯେ ଭାରତର ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ ଭଳି ୪ଟି ସମ୍ବେଦନଶୀଳ କ୍ଷେତ୍ରରେ ସର୍ବନିମ୍ନ ଉପସ୍ଥିତି ରଖିବାକୁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ସମ୍ବେଦନଶୀଳ କ୍ଷେତ୍ର ବାହାରେ ଥିବା କମ୍ପାନୀଗୁଡ଼ିକ ପାଇଁ ପୁନରୁଦ୍ଧାର ଯୋଜନା କରାଯାଉଛି। ଗତ ସପ୍ତାହରେ, ସରକାର ଋଣଭାରରେ ବୁଡ଼ି ରହିଥିବା ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନ୍ଏଲ୍)କୁ ପୁନରୁଦ୍ଧାର କରିବା ପାଇଁ ୧.୩ ବିଲିୟନ ଡଲାର ପୁଞ୍ଜି ନିବେଶ ଯୋଜନା ଘୋଷଣା କରିଥିଲେ। ଚଳିତବର୍ଷ କେନ୍ଦ୍ର ସରକାର ସରକାରୀ ଟେଲିକମ୍ କମ୍ପାନୀ ଏମ୍ଟିଏନ୍ଏଲର ବଣ୍ଡ ପରିଶୋଧ ପାଇଁ ୮୦ ବିଲିୟନ ଟଙ୍କା ମଧ୍ୟ ଆବଣ୍ଟନ କରିଛନ୍ତି। ବ୍ୟବସାୟୀକରଣ ନୀତି ଘୋଷଣା ହେବାର ଚାରି ବର୍ଷ ପରେ, ମୋଦୀ ସରକାରଙ୍କୁ କେବଳ ତିନୋଟି ସଫଳତା ମିଳିଛି। ଯେଉଁଥିରୁ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ବିକ୍ରି କରିବା ସବୁଠାରୁ ବଡ଼ ପଦକ୍ଷେପ ଥିଲା। ଅନ୍ୟ ଦୁଇଟି ଇସ୍ପାତ ନିର୍ମାତା ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ଟାଟା ଷ୍ଟିଲ୍କୁ ଏବଂ ଫେରୋ ସ୍କ୍ରାପ୍ ନିଗମରେ କୋନୋଇକ୍ ଟ୍ରାନ୍ସପୋର୍ଟ କମ୍ପାନୀକୁ ପରୋକ୍ଷ ହୋଲ୍ଡିଂ ଅନ୍ତର୍ଭୁକ୍ତ ଥିଲା। ୨୦୨୪ ମଧ୍ୟଭାଗରେ ଆଞ୍ଚଳିକ ସହଯୋଗୀଙ୍କ ସହାୟତାରେ ମୋଦୀ କ୍ଷମତାକୁ ଫେରିବା ପରେ ଘରୋଇକରଣ ବନ୍ଦ କରିବା ନେଇ ତାଙ୍କ ଉପରେ ରାଜନୈତିକ ଚାପ ବୃଦ୍ଧି ପାଇଛି। ଫଳରେ ସରକାରଙ୍କ ନୀତି ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ହେଉଛି।