ଭୁବନେଶ୍ଵର: ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ । ପୁଣିଥରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣିବ ପୋଲିସ । ଠକ ହଂସିତା-ଅନୀଲ ଜେରା କରିବ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ।
ଝାଡ଼ଖଣ୍ଡରୁ କଲଗାର୍ଲ୍ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍.କେ ଦାସ ଏକ ଏତଲା ଦେଇଥିଲେ । ଏତଲାରେ ହଂସିତା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିବା ଅଭିଯୋଗ କରିଥିଲେ । ସେହି ଯୁବତୀଙ୍କ ଜରିଆରେ ବଡ ବଡ ଲୋକଙ୍କ ସହ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିତା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍ ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ବୋଲି ହଂସିକାଙ୍କ ମୋବାଇଲ୍ରୁ ତଥ୍ୟ ମିଳିବା ପରେ ଥାନାରେ ଅଭିଯୋଗ କରିଥିଲେ ଏମ.କେ ଦାସ ।
ନିକଟରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତାଓ ଅନୀଲଙ୍କ ଘରେ ଚଢାଉ କରିଥିଲା ଆୟକର ବିଭାଗ । ଚଢ଼ାଉ ବେଳେ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରିଥିଲା ବିଭାଗ । ସେଥିରୁ ୧୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଲଡରଙ୍କ ପାଖରେ ରହିଛି। ଯାହାଙ୍କୁ ଆୟକର ବିଭାଗ ନୋଟିସ କରିଥିଲା । ଏଣେ ଠକ୍ ଯୋଡି ସହ ଜଡ଼ିତ ନେତାଙ୍କୁ ଖୁବଶୀଘ୍ର ଆୟକର ବିଭାଗ ନୋଟିସ କରିବ ବୋଲି ଜଣାପଡିଛି ।