କଟକ :ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ ? ନିର୍ବାଚନ ପରଠାରୁ ଗତ ୭ ମାସ ହେଲା ଏହି ଚର୍ଚ୍ଚା ଲାଗି ରହିଛି । ଆଉ ଅନ୍ୟପଟେ ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା । ମାସ ପରେ ମାସ ଗଡ଼ି ଚାଲିଥିବା ବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ ।
ପିସିସି ସଭାପତି ନାମ ଘୋଷଣାରେ ବହୁତ ବିଳମ୍ବ ହୋଇଗଲାଣି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ । ସେ କହିଛନ୍ତି, ଯାହାକୁ ବି ସଭାପତି କରିବାର ଅଛି ଶୀଘ୍ର ନାମ ଘୋଷଣା କରାଯାଉ । ସଭାପତି ନାମ ଘୋଷଣାକୁ ନେଇ କର୍ମୀଙ୍କ ଠାରୁ ନେତା ଅପେକ୍ଷା କରି ରହିଛନ୍ତି । ଯିଏ ବି ପିସିସି ସଭାପତି ହେବ ତାକୁ ମୋର ସମର୍ଥନ ରହିବ ବୋଲି ସୋଫିଆ କହିଛନ୍ତି । ନୂଆ ସଭାପତିଙ୍କ ନାମ ଘୋଷଣା କରାଗଲେ ଦଳ ମଜବୁତ ହେବା ସହ ସରକାରଙ୍କ ଉପରେ ଚାପ ପକାଇ ହେବ ବୋଲି ମଧ୍ୟ ସୋଫିଆ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା । ମାସ ପରେ ମାସ ଗଡ଼ି ଚାଲିଥିବା ବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ । ଏଆଇସିସି ପିସିସିର ସମସ୍ତ କମିଟିକୁ ଭଙ୍ଗ କରିଥିବାରୁ ରାଜ୍ୟରେ କଂଗ୍ରେସ ସଙ୍ଗଠନ ପ୍ରାୟ ସୁପ୍ତ ଓ କିଛି ଦଳୀୟ ନେତା ନିଜ ନିଜ ପ୍ରଚେଷ୍ଟାରେ ସଙ୍ଗଠନ ଚଳାଉଥିବା ଦେଖାଯାଉଛି । ଗତ ଜୁଲାଇ ୨୧ରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଆଶାନୁରୂପ ସଫଳତା ମିଳିିନଥିବାରୁ ହାଇକମାଣ୍ଡ ଦଳର ସମସ୍ତ ଛାମୁଆ କମିଟି ଭଙ୍ଗ କରିଥିଲେ । ତେବେ ନୂଆ ନେତା ସନ୍ଧାନରେ ଏଆଇସିସି ଦୀର୍ଘ ୭ ମାସ ହେବ କସରତ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍କର୍ଷ ବାହାରି ପାରୁନାହିଁ ।