ଭୁବନେଶ୍ବର: ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ୧୨ଟାରେ ଆଶ୍ରମ ଉପରେ ଚାଲିଲା ବୁଲ୍ଡୋଜର୍ । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ତଦନ୍ତ ପରେ ଏହା ସରକାରୀ ଜମିରେ ଥିବା ଜଣାପଡିଥିଲା । ତେବେ ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ପ୍ରଚାର କରି ଆଜି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ବିଡିଏ ।
ସୂଚନାଯୋଗ୍ୟ, ବୈକୁଣ୍ଠ ଧାମ ଆଶ୍ରମରେ ଥିବା ଜଣେ ବାଳକଙ୍କୁ କଳକୀ ଅବତାର ବୋଲି ଘୋଷଣା କରି ତାଙ୍କ ପାଦରେ ତୁଳସୀ ଓ ଭଗବତ ଗୀତା ରଖି ପୂଜାର୍ଚ୍ଚନା କରାଯାଉଥିଲା । ସେ ଲୋକଙ୍କୁ ଭବିଷ୍ୟବାଣୀ ମଧ୍ୟ କରୁଥିଲେ । ଏନେଇ ପ୍ରଚାର ହେବା ପରେ ଚର୍ଚ୍ଚାକୁ ଆସିଥିଲା ବୈକୁଣ୍ଠଧାମ ଆଶ୍ରମ । ଏହାପରେ ତଦନ୍ତ କରିବାରୁ ଆଶ୍ରମଟି ସରକାରୀ ଜମିରେ ଥିବା ନେଇ ଜଣାପଡିଥିଲା । ଏହାପରେ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ଗତ ନଭେମ୍ବର ୨୦ ରେ ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଆଶ୍ରମ କର୍ତ୍ତୃପକ୍ଷ ଜାଲ କାଗଜପତ୍ର ଦାଖଲ କରି କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଶେଷରେ ଆଜି ମାଟିରେ ମିଶିଛି ଆଶ୍ରମ ।