‘ଖୁବଶୀଘ୍ର ଓଡ଼ିଶା ଏକ ଯୌତୁକ ମୁକ୍ତ ରାଜ୍ୟ ହେବ’

ଭୁବନେଶ୍ୱର: ଶୁକ୍ରବାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାକୁ ଏକ ଯୌତୁକ ମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ଉପରେ ଆଲୋକପାତ କରିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ, ଏହା ଏକ ସାମାଜିକ ବ୍ୟାଧି ରୂପେ ଉଭା ହୋଇଛି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ପ୍ରଥା ଜାରି ରହିଛି ।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହୁରି କହିଛନ୍ତି ଯେ, ଆମ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ । ତେଣୁ ଉପ ଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଇନକୁ କଡାକଡି ଭାବେ କାର୍ଯ୍ୟକରି କରିବା ସହ ଏହି ଆଇନର ଦୁରୂପୋଯୋଗକୁ ରୋକିବାରେ ଉପ ଜିଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେଣୁ କରି ଆଜିର ଏହି ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତି ପରିଡା, ଉପ-ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.