ଏଣିକି ବର୍ଷ ସାରା ପାଳନ ହେବ ପଥୋତ୍ସବ

ଭୁବନେଶ୍ବର: ଏଣିକି କେବଳ ଶୀତ ଦିନେ ନୁହେଁ, ବର୍ଷ ସାରା ପାଳନ ହେବ ପଥୋତ୍ସବ । ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ । ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ଗୋଟିଏ ପଥୋତ୍ସବ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏତିସହିତ ଶୀତ ଦିନ ଆସିଲେ ପ୍ରତି ସପ୍ତାହରେ ପଥୋତ୍ସବ କରାଯିବ । ଏନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଆଜି ଭୁବନେଶ୍ଵର ଜାଗମରାରେ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା । ଶୀତୁଆ ସକାଳର ନାଚ ଗୀତରେ ମସଗୁଲ ହୋଇଥିଲେ ରାଜଧାନୀବାସୀ । ଗୀତ ସାଙ୍ଗକୁ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଆସର ଜାଗମରା ସ୍ଥିତ ରାସ୍ତାରେ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଜାନୁଆରୀ ୫ରୁ ଆରମ୍ଭ ହୋଇଛି ପଥୋତ୍ସବ । ଯାହା ପ୍ରତିବର୍ଷ ଶୀତ ଦିନ ଆସିଲେ ବିଏମସି ଦ୍ବାରା ସହରର ମୁଖ୍ୟ ରାସ୍ତା ଉପରେ ଆୟୋଜିତ ହୋଇଥାଏ ।

ତେବେ ପଥୋତ୍ସବ ବା ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆୟୋଜିତ ହେଉଥିବା ଏକ ରାସ୍ତା ମହୋତ୍ସବ । ଯାହା କେବଳ ଭୁବନେଶ୍ବର ନୁହେଁ କଟକ ରାସ୍ତାରେ ମଧ୍ୟ ଆୟୋଜିତ ହୋଇଥାଏ । ଯେଉଁଥିରେ ଓଡ଼ିଶାର ସଂସ୍କୃତି ଏବଂ ବିଭିନ୍ନ ସମ୍ପ୍ରଦାୟକୁ ପାଳନ କରନ୍ତି ଟ୍ବିନ୍ ସିଟିବାସୀ ।

ଶୀତଦିନେ ସାଂସ୍କୃତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଆୟୋଜିତ କରି ଏଥିରେ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଏମସି ୨୦୧୬ରୁ ଏଭଳି କିଛି ପଦକ୍ଷେପ ଆୟୋଜନ କରିଆସୁଛି । ଯାହାର ପ୍ରତି ବର୍ଷ ଶୀତ ଦିନ ଆୟୋଜିତ ହୋଇଥାଏ । ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି, ସ୍ଥାନୀୟ ଏବଂ ପ୍ରବାସୀ ଲୋକଙ୍କ ମଧ୍ୟରେ ସମ୍ପ୍ରଦାୟର ଭାବନା ଏବଂ ପରସ୍ପରର ସହ ପରିଚିତ ହେବାକୁ ପ୍ରୋତ୍ସାହିତ କରିବା ।

nis-ad
Leave A Reply

Your email address will not be published.