ଦୃଷ୍ଟି ଆଢୁଆଳରେ ପ୍ରସିଦ୍ଧ ଶୈବପୀଠ ଘଟକେଶ୍ୱର ମହାଦେବଙ୍କ ପୀଠ : ସରକାରୀ ଅନୁଦାନ ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ଦାବୀ

ଚିକିଟି : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମଧ୍ୟରେ ଘଟକେଶ୍ୱର ମହାଦେବଙ୍କ ପୀଠ ହେଉଛି ଅନ୍ୟତମ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ ରେ ଅବସ୍ଥିତ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେରାଣ୍ଡିମାଳ ପାହାଡ଼ ପାଦ ଦେଶରେ ବହି ଯାଇଥିବା ଘଡକା ନଦୀ କୂଳରେ ଶ୍ରୀ ଘଟକେଶ୍ୱର ମହାଦେବ ବିଜେ ହୋଇଛନ୍ତି।ବ୍ରହ୍ମପୁର, ଚିକିଟୀ, ଟାମଣା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ଏହି ପୀଠ ରହିଛି।ବର୍ଷ ତମାମ ହଜାର ହଜାର ଶ୍ରଦ୍ଧାଳୁ ଏହି ପୀଠରେ ପହଂଚି ଘଟକେଶ୍ୱର ମହାଦେବ ଙ୍କ ଦର୍ଶନ କରି ପ୍ରାକୃତିକ ପରିବେଶ କୁ ଉପଭୋଗ କରିବା ସହିତ ବଣ ଭୋଜିର ମଜା ନେଇଥାନ୍ତି। ସେହିପରି କାର୍ତିକ ମାସ ,ମହା ଶିବରାତ୍ରୀ ଓ ପୌଷମାସ ପହିଲିଭୋଗ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ମନ୍ଦିର କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥାଏ।
ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ହେଉ କିମ୍ବା ପ୍ରଶାସନିକ ଅବହେଳାରୁ ଏହି ପୀଠ ଆଜି ବି ଅବହେଳିତ ହୋଇ ରହିଛି। ଯାହାକୁ ନେଇ ଜନ ସାଧାରଣ ତଥା ଶୈବ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ବହୁ ମଠ,ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକର ବିକାଶ ଲାଗି କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ଦୃଷ୍ଟି ଆଡୁଆଳ ରେ ରହିଯାଇଛି ଏହି ଘଟକେଶ୍ୱର ପୀଠ। ଅବହେଳିତ ଅବସ୍ଥାରେ ରହିଥିଲେ ମଧ୍ୟ ଘଟକେଶ୍ୱର ମହାଦେବ ଙ୍କ ଆଲୌକିକ ମହିମା ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କେରାଣ୍ଡିମାଳ ପାହାଡ଼ର ପାଦ ଦେଶରେ ବହି ଯାଇଥିବା ଘଡକା ନଦୀର କୁଳୁକୁଳୁ ଶ୍ୱର ଶୈବ ଭକ୍ତ ମାନଙ୍କୁ ଟାଣି ଆଣିଥାଏ। ସବୁ ମଠ,ମନ୍ଦିର ଓ ଧର୍ମାନୁଷ୍ଠାନ ଭଳି ଏହି ପୀଠକୁ ମଧ୍ୟ ସରକାର ଅନୁଦାନ ପ୍ରଦାନ କରି ଏହାର ଉନ୍ନତିକରଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ପୀଠର ଉନ୍ନତିକରଣ ହେବା ସହ ଶିଶୁ ଉଦ୍ୟାନ, ଯାତ୍ରୀ ବିଶ୍ରାମଗାର, ସୁଲଭ ଶୌଚାଳୟ, ରୋଷେଇ ଘର,ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ, ଗାଡି ପାର୍କିଂ ଓ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ହୋଇପାରିଲେ ବର୍ଷ ତମାମ ଏଠାରେ ପ୍ରବଳ ଜନ ସମାଗମ ହେବା ସହ ଏହା ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସରକାର ଙ୍କ ପକ୍ଷରୁ ଅନୁଦାନ ମିଳିଲେ ମନ୍ଦିର ର ବହୁବିଧ ଉନ୍ନତି ହୋଇପାରିବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ଓ କମିଟି ସଦସ୍ୟ ଲଷ୍ମୀ ନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.