ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା

ବ୍ରହ୍ମପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହା ସହ ଆଇଓସି-ୟୁନେସ୍କୋ ଦ୍ବାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଭେଙ୍କଟ ରାଇପୁରର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ରର ନବୀକରଣ କରାଯାଇଛି । ଆଇଓସି-ୟୁନେସ୍କୋର ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଉପୁଲାପୁଟି, ଗଞ୍ଜାମର ପ୍ରୟାଗି ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡାର ମାର୍କଣ୍ଡି ଏବଂ ଭେଙ୍କଟ ରାଇପୁରରେ କାର୍ଯ୍ୟକାରୀ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ଜାତୀୟ ସୁନାମି ପରିଷଦର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକାଙ୍କ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମୀ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାର ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ୍ ଓ ପୋଷ୍ଟର ବିତରଣ , ସୁନାମି ପରିଚାଳନା ଯୋଜନାର ପ୍ରସ୍ତୁତି, ସୁନାମି ମକ୍ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହେର୍ଡିଂ ଏବଂ ସ୍ଥାନାନ୍ତରଣ ସାଇନେଜ୍ ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ କରିଥିଲେ । ଏହା ସହ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କୋକୁ ସୁପାରିଶ୍ କରିଥିଲେ । ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ୨୦ ତମ ବାର୍ଷିକ ଭାରତ ମହାସାଗର ସୁନାମି କନକ୍ଲେଭର ରେ ଇନକଇସ୍ ( INCOIS) ହାଇଦ୍ରାବାଦ୍ ଠାରେ ଆଇଓସି-ୟୁନେସ୍କୋ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓସଡମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ ।
ଗତକାଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପାଞ୍ଚଟି ଗ୍ରାମର କମ୍ୟୁନିଟି ଲିଡର୍ ମାନେ ସାକ୍ଷାତ କରିବା ସହ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଆୟୁଷି ପତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.