ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ “କୃଷି ଓଡ଼ିଶା – ୨୦୨୫”ର ଆୟୋଜନ ହେବାକୁ ଯାଉଛି । ଏହି ସମାରୋହ ଆସନ୍ତାକାଲି ଦିନ ୧୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉଦଘାଟନ ହେବ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ ଯୋଗ ଦେବେ।
କୃଷି ଓଡ଼ିଶା-୨୦୨୫ ର ବିଷୟବସ୍ତୁ ରହିଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ” । ପ୍ରଥମଦିନର ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି ।
ଓଡ଼ିଶାରେ ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହିତ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ପାରସ୍ପରିକ ସଂଯୁକ୍ତ ଲକ୍ଷ୍ୟ ମାଧ୍ୟମରେ ଖାଦ୍ୟ ନିରାପତ୍ତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋତ୍ସାହିତ କରିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିବେ । ରାଜ୍ୟର ୪ଟି ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ସରକାର, ଭାରତୀୟ କୃଷି ଗବେଷଣା ପରିଷଦ, ସି.ଜି.ଆଇ.ଏ.ଆର. ପ୍ରତିଷ୍ଠାନ, ବେସରକାରୀ ସଂଗଠନ, ସମନ୍ୱୟରେ ୧୩ ଗୋଟି ବୈଷୟିକ ଅଧିବେଶନର ମଧ୍ୟ ଆୟୋଜନ କରାଯାଉଛି । କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, ସେମିନାର କାର୍ଯ୍ୟକ୍ରମ ରହିଛି । କୃଷକ ସମୃଦ୍ଧି କେନ୍ଦ୍ର, ଅନୁଭୂତି ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ । ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କୁଇଜ୍, ତର୍କ, ଗଳ୍ପ କଥନ, କବିତା ଆବୃତ୍ତି, ବ୍ୟଙ୍ଗ ଆକୃତି ପ୍ରତିଯୋଗୀତା କରାଯିବା ସହିତ ଆଭାସୀ ଅନୁଭୂତି କେନ୍ଦ୍ର, କୃଷକ ସୁଗମ କେନ୍ଦ୍ର ଓ ପରୀକ୍ଷାମୂଳକ ଶିକ୍ଷା କେନ୍ଦ୍ରର ଆୟୋଜନ କରାଯାଇଛି । ରାଜ୍ୟର ୩୦ ଗୋଟି ଜିଲ୍ଲାର କୃଷି ଓ ଆନୁଷଙ୍ଗୀକ କୃଷି କ୍ଷେତ୍ରରେ ସଫଳ କୃଷି ପ୍ରଦର୍ଶନ କରିଥିବା ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ / କୃଷକ ଉତ୍ପାଦକ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
Sign in
Sign in
Recover your password.
A password will be e-mailed to you.