ପୁରୀ: ନୂଆବର୍ଷରେ ଜଗା ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ବିଶ୍ବାସ ରହିଛି ଯେ, ନୂଆ ବର୍ଷର ଆରମ୍ଭରେ ଜଗାର ଦର୍ଶନ କଲେ ବର୍ଷଟା ଯାକ ସୁଖ ଶାନ୍ତିରେ କଟିବ । ହେଲେ ପ୍ରବଳ ମାତ୍ରାରେ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି ଭକ୍ତମାନେ ।
ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି । ତଥାପି ଭିଡ ଅସମ୍ଭାଳ ହୋଇପଡିଥିବା ଖବର ସାମ୍ନାକୁ ଆସୁଛି ।
ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି । ରାତି ଅଧରୁ ଧାଡ଼ିରେ ଛିଡ଼ା ହୋଇଥିଲେ ଭକ୍ତ ଯେଉଁ କାରଣରୁ ଅସହ୍ୟ ହୋଇ ପ୍ରବଳ ଠେଲାପେଲା ହୋଇଥିଲା । ପୁରୀ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ।