ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ । ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର  କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଅନ୍ୟପକ୍ଷରେ ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ସ୍ବତନ୍ତ୍ର ୬ ପର୍ଯ୍ୟାୟ ବିଶିଷ୍ଟ ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଏବଂ ଅନ୍ୟପଟେ ବାହାରିବେ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ । ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

ଏଥିସହିତ ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ । ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଥିବା ବେଳେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।

nis-ad
Leave A Reply

Your email address will not be published.