ଶିମିଳିପାଳ : ସରକାରଙ୍କୁ ଶିମିଳିପାଳ ଚିନ୍ତା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଗୃହ ସଚିବ ସତ୍ୟବ୍ରତ ସାହୁ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ(ଏପିଆର) ଫୋର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ରହିବେ ।
୧୩୧ ଜଣିଆ ଶସସ୍ତ୍ର ଏପିଆର ଟିମ୍ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ରହିବେ । ଏନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଶିମିଳିପାଳ ବାଘ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶୀକାର ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ସବ୍ ଇନସପେକ୍ଟର, ୩ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ହାବିଲଦାର, ୩ ଡ୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବେ। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।