ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି  ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ “ପରବ” ରେ ଯୋଗ ଦେବେ। ଏହା ସହ ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ ଶକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ଶ୍ରୀମତୀ ପରିଡ଼ା। ଏତଦ୍‌ ବ୍ୟତୀତ ସେ ଏହି ଦୁଇ ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ଗତ ୧୪ ଓ ୧୫ରେ କୋରାପୁଟ ଗସ୍ତ କରିଥିଲେ। ସେ ପରବ-୨୦୨୪ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ପ୍ରଧାନ କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସେମିଳିଗୁଡ଼ାରେ ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସହ ୬୦୦ କୋଟି ବ୍ୟୟରେ ପ୍ଲାଏଉଡ୍‌ କାରଖାନା ନିର୍ମାଣ ହେବ।

ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଅନୁଦାନ ଯୋଗାଇ ଦିଆଯିବ। ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ପୂରଣ ହେବା ସହ, ଜଗନ୍ନାଥ ସାଗର କାମ ଶୀଘ୍ର ଶେଷ ହେବ ବୋଲି କହିଥିଲେ। ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ, ଜୀବିକା ନିର୍ବାହ ସମସ୍ତ କ୍ଷେତ୍ରକୁ ବିକଶିତ କରାଯାଇ କୋରପୁଟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। କୋରାପୁଟକୁ ଭାରତରେ ଏକ ନମ୍ବର ଜିଲ୍ଲାରେ ପରିଣତ କରଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଓ କୋରାପୁଟ ଗସ୍ତ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି।

nis-ad
Leave A Reply

Your email address will not be published.