ଆପାର ପଞ୍ଜିକରଣ ପାଇଁ ଆଧାର ଲିଙ୍କ ଅଡ଼ୁଆ : ଅସୁବିଧା ରେ ଛାତ୍ରଛାତ୍ରୀ…


ନୟାଗଡ଼: ନୂତନ ଶିକ୍ଷାନୀତି ୨୦୨୦ ଏବଂ ଗୋଟିଏ ଦେଶ ଗୋଟିଏ ଷ୍ଟୁଡେଣ୍ଟ୍ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ ପାଇଁ ଆପାର କାର୍ଯକ୍ରମ ଆରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଙ୍ଗନୱାଡ଼ି ଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ଆପାର ଆଇଡି ମାଧ୍ୟମରେ ନିଜର ଆବଶ୍ୟକ ତଥ୍ୟ ପଞ୍ଜିକରଣ କରିପାରିବେ । ମାତ୍ର ଏହି ପଞ୍ଜିକରଣ ଅବଧି ଡିସେମ୍ବର ୩୧ ଥିବାବେଳେ ସମୟ ପୂର୍ବରୁ ଏହି କାର୍ଯ୍ୟକ୍ରମ ଶେଷ ହେବକି ନାହିଁ ଆଶଙ୍କା ସୃଷ୍ଟି ହୋଇଛି । ଅନେକ ଛାତ୍ରଛାତ୍ରୀ ଙ୍କ ଆଧାର କାର୍ଡ ପଞ୍ଜିକରଣ ସମସ୍ୟା ଥିବାରୁ ଏହି କାର୍ଯ୍ୟକ୍ରମରେ ଅହେତୁକ ବିଳମ୍ବ ହେଉଛି ବୋଲି ନୟାଗଡ଼ ଜିଲ୍ଲାର ଦାୟିତ୍ୱରେ ଥିବା ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ ବର୍ତମାନ ନୟାଗଡ଼ ଜିଲ୍ଲାରେ ପଢୁଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ମାତ୍ର ୩୧ପ୍ରତିଶତ ଆପାର ଆଇଡି ରେ ପଞ୍ଜିକରଣ କରିଛନ୍ତି । ପ୍ରାୟ ୭୦ ରୁ ୮୦ ହଜାର ଛାତ୍ରଛାତ୍ରୀ ଙ୍କ ଆଧାର ପଞ୍ଜିକରଣ ସମସ୍ୟା ଥିବାରୁ ଏହି କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହୋଇଛି । ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ନୟାଗଡ଼ ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ଓଡ଼ଗାଁ ଓ ନୂଆଗାଁ ବ୍ଲକ କୁ ଛାଡ଼ିଦେଲେ ଅନ୍ୟ ବ୍ଳକ୍ ରେ ଏହି କାର୍ଯ୍ୟକ୍ରମ ବହୁତ୍ ଧୀରେ ହେଉଛି । ପ୍ରତ୍ୟେକ ବ୍ଲକ ରେ ସ୍ଵତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ଏଥିରେ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର, ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି । ଆପାର ଆଇଡି ରେ ଛାତ୍ରଛାତ୍ରୀ ଙ୍କ ସମସ୍ତ ଶିକ୍ଷାଗତ ତଥ୍ୟ, କ୍ରୀଡାଦକ୍ଷତା, ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ର ତଥ୍ୟକୁ ସାମିଲ କରାଯିବ । ଏହି ଆପାର ଆଇଡି ଦ୍ଵାରା ଯେକୌଣସି ସ୍ଥାନରୁ ଯେକୌଣସି ଛାତ୍ରଛାତ୍ରୀଙ୍କ ତଥ୍ୟ ସୁବିଧାରେ ଏବଂ କମ ସମୟର ମିଳିପାରିବ ।
ଅଧିକାଂଶ ବିଦ୍ୟାଳୟରେ ଏହି ଆପାର ଫର୍ମ ପହଞ୍ଚି ନଥିବାବେଳେ ଅନେକ ପିଲାଙ୍କ ଆଧାର ସମସ୍ୟା ଏବଂ ଅନେକ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉନଥିବାରୁ ଏହା ସମୟ ପୂର୍ବରୁ କିପରି ଶେଷ ହେବ ଆଶଙ୍କା ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.