ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ

ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି ।  ତେବେ ଏଭଳି ଅବସ୍ଥା ଆଉ ଦୁଇ ଦିନ ଜାରି ରହିବା ବେଳେ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ ରାତି ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ତାରିଖରୁ ତିନିଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୧୭ରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଏବଂ ରାୟଗଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୧୮ରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି। ୧୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତିରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଏବଂ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୬.୮ଡିଗ୍ରୀ ଲେଖାଏଁ ରହିଛି । ୮ ସ୍ଥାନରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଅନୁଗୋଳରେ ରାତି ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କେନ୍ଦୁଝର ୯.୨, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୯.୪ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, ନବରଙ୍ଗପୁର ୧୦.୬, ବୌଦ୍ଧ ୧୦, ସୁବର୍ଣ୍ଣପୁର ୧୦.୫, ବଲାଙ୍ଗିର ୧୦.୭, ବାରିପଦା ୧୦.୫, ଭୁବନେଶ୍ବର ୧୩ ଏବଂ କଟକରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।  ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

nis-ad
Leave A Reply

Your email address will not be published.