ସାଇବର ଠକଙ୍କ ନୂଆଁ ତରିକା : ଜେଲ୍ ଦଣ୍ଡାଦେଶ ଭୟ ଦେଖାଇ ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟି ନେଲେ ସାଢେ ୫ ଲକ୍ଷ ଟଙ୍କା
ହିଞ୍ଜିଳିକାଟୁ : ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରୀ ରହିଛି। ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଦିନକୁ ଦିନ ସାଇବର ଠକ ମାନେ ନୂତନ ଜ୍ଞାନକୌଶଳ ଗ୍ରହଣ କରି ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଲୁଟି ନେଉଥିବା ନିତିଦିନିଆ ଘଟଣା ପାଲଟିଛି। ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ଭିଡିଓ ପ୍ରସାରିତ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇ ଜୈନିକ ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ସାଇବର ଠକ ସାଢେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ଘଟିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ମହାରାଷ୍ଟ୍ର ମୁମ୍ବାଇ ଅଞ୍ଚଳର ଜୈନିକ ସାଇବର ଠକ ସୋମବାର ରାତିରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ନରେନ୍ଦ୍ର କୁମାର ମହାନ୍ତିଙ୍କ ମୋବାଇଲ ଫୋନକୁ ଏକ ଅଜଣା ଓ୍ବାଟସଅପ୍ ଅଡିଓ କଲ୍ ଆସିଥିଲା। ଡାକ୍ତର ମହାନ୍ତି କଲ୍ ରିସିଭ୍ କରିବା ପରେ ସାଇବର ଠକ ଜଣଙ୍କ ନିଜକୁ ଜଣେ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ବୋଲି ପରିଚୟ ଦେଇଥିଲେ। ମୁମ୍ବାଇ ଏୟାର୍ ଲାଇନ୍ ମନି ଲେଡିଙ୍ଗ୍ ଠାରେ ଜମିଜମା ସମ୍ବନ୍ଧୀୟ ଠକେଇରେ ସଂପୃକ୍ତି ଥିବା ନେଇ ସାଇବର ଠକ ଜଣଙ୍କ ଅବସରପ୍ରାପ୍ତ ଡାକ୍ତରଙ୍କୁ କହିଥିଲେ।ପରେ ଭିଡିଓ କଲ୍ ରିସିଭ କରିବାକୁ କହି ଭିଡିଓ କଲ୍ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ରହିଥିବା ଭଳି ଏକ ଭିଡିଓ ପ୍ରଦର୍ଶିତ କରିଥିଲେ। ଦଣ୍ଡ ସ୍ଵରୁପ ଅବସରପ୍ରାପ୍ତ ଡାକ୍ତରଙ୍କୁ ସାଢେ ୬ ଲକ୍ଷ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଅର୍ଥ ରାଶି ଜମାନକଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇଥିଲେ। ଅବସରପ୍ରାପ୍ତ ଡାକ୍ତର ଜଣଙ୍କ ଉଚ୍ଚତମ ନ୍ୟାୟାଳୟକୁ ଦେଖି ଭୟଭୀତ ହୋଇପଡିଲେ। ସାଇବର ଠକ ଜଣଙ୍କ ପଠାଇଥିବା ଏକାଉଣ୍ଟ୍ ନମ୍ବରରେ ମଙ୍ଗଳବାର ସକାଳେ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କରେ ସାଢେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସାଇବର ଠକ ଜଣଙ୍କ ପୁର୍ନବାର ଅଧିକ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍ ପରିବାର ବର୍ଗଙ୍କୁ ଜେଲ୍ ଦଣ୍ଡାଦେଶର ଭୟ ଦେଖାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଅବସରପ୍ରାପ୍ତ ଡାକ୍ତରଙ୍କ ପୁଅ ଗାଁକୁ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ନେଇ ଅବସରପ୍ରାପ୍ତ ଡାକ୍ତର ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୧୦୦୫/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ହିଞ୍ଜିଳି ପୁଲିସ ସାଇବର ଥାନା ସହିତ ଯୋଗାଯୋଗ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।