ଫୁଲବାଣୀ : ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତା. ସନ୍ତୋଷ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡା. ପାଢୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତାଙ୍କ ସୂଚନାରୁ ଜଣାପଡ଼ିଛି ଯେ, ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତ ଅସୁରକ୍ଷିତ ବ୍ୟକ୍ତିଙ୍କ ଯକ୍ଷ୍ମା ପରୀକ୍ଷା ଓ ଏକ୍ସରେ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହା ଆଜି ଠାରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଓଡ଼ିଶାର କନ୍ଧମାଳ ସମେତ ୧୯ ଗୋଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨ ସପ୍ତାହରୁ ଅଧିକା କାଶ, ଜ୍ଵର, ସନ୍ଧ୍ୟାରେ ଝାଳ, କାଶରେ ରକ୍ତ, ଛାତି ଯନ୍ତ୍ରଣା, ଶ୍ଵାସ କ୍ରିୟାରେ କଷ୍ଟ, ଓଜନ ହ୍ରାସ, ଭୋକ ନ ଲାଗିବା, ହାଲିଆ ଲାଗିବା, ବେକରେ ଗୁଳା ବା ଫୁଲିବା, ଫୁସ୍ଫୁସ୍ ବ୍ୟତୀତ ଅନ୍ୟ ଅଂଶରେ ଯକ୍ଷ୍ମାର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ୧୦୦ ଦିନିଆ କାର୍ଯ୍ୟକ୍ରମରେ ଆଣିବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବଂ ଗୋଷ୍ଠୀ ବା’ ଗ୍ରାମରେ ଯାଞ୍ଚ କରାଯିବ। ଏଥିସହିତ ଡାଇଲିସିସ୍, ଅଙ୍ଗ ପ୍ରତିରୋପଣ ବ୍ୟକ୍ତି, ଧୁମ୍ରପାନ, ମଦ୍ୟପାନ, କୁପୋଷଣର ଶିକାର ହୋଇଥିବା ବ୍ୟକ୍ତି, ମଧୁମେହ, ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ଯକ୍ଷ୍ମାରୋଗୀଙ୍କ ସମ୍ପର୍କରେ ଆସୁଥିବା ପରିବାର ବର୍ଗଙ୍କ ମଧ୍ୟ ଯାଞ୍ଚ କରାଯିବ। ପ୍ରଚାର ପ୍ରସାର କରିବା ସହିତ ଗୋଷ୍ଠୀ ସ୍ତରରୁ ଲୋକମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ନିକ୍ଷୟ ବାହାନ ବା ରଥର ବ୍ୟବସ୍ଥା କରାଯାଇଛି ।
ପ୍ରୋସାହନ ରାଶି ସ୍ବରୁପ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫୦ ଟଙ୍କାର ଶୁଖୁଲା ଖାଦ୍ୟ ଏବଂ ଆଶା ଦିଦିମାନଙ୍କୁ ଖାଦ୍ୟ ସକାଶେ ୫୦ଟଙ୍କା ଓ ଜଣଙ୍କୁ ଏକ୍ସରେ କେନ୍ଦ୍ରକୁ ପ୍ରେରିତ କରିବା ପାଇଁ ୧୦୦ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି। ସମସ୍ତ ଚିହ୍ନଟ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ପୋଷଣ ଯୋଜନାରେ ମାସିକ ୧ହଜାର ଟଙ୍କା, ଇ.ଡି.ଏନ୍.ଏସ୍. ପ୍ୟାକେଟ୍, ପି.ଏମ୍.ଟି.ବି.ଏମ୍.ବି.ଏ. ରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଇଛି । ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ବାହନ ମାଧ୍ୟମରେ ବିଦ୍ୟାଳୟ ଓ ଗ୍ରାମରେ ସ୍ବାସ୍ଥ୍ୟ ଯାଞ୍ଚ କରିବାର ବ୍ୟବସ୍ଥା କରାଯାଇଛି । ଜନ ଭାଗିଦାରୀ ମାଧ୍ୟମରେ ସଂପୃକ୍ତ ବିଭାଗମାନଙ୍କର ସହଯୋଗ ସହିତୃ ଗଣମାଧ୍ୟମର ସହଯୋଗ ଆବଶ୍ୟକ । ଜନ ଆନ୍ଦୋଳନ ସ୍ବରୁପ ଏଥିରେ ସହଯୋଗ କରିବା ସହିତ ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାଢୀ ଅନୁରୋଧ କରିଛନ୍ତି ।