ଭୁବନେଶ୍ବର : ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରବାସୀଙ୍କୁ କୁଆଖାଇ ନଦୀରୁ ଅତ୍ୟନ୍ତ ଦୂଷିତ ଜଳ ଯୋଗାଣ କରାଯାଉଛି । ଏହି ଜଳ ଅତ୍ୟନ୍ତ ଦୂଷିତ ବୋଲି ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି କହିଲେ। ତଥାପି ସରକାର ଫାଙ୍କିଦେଲେ। ଖାଲି ସେତିକି ନୁହେଁ ରାଜ୍ୟର ଭୁବନେଶ୍ୱର ସମେତ ଅନ୍ୟ ୪ଟି ମହାନଗର ନିଗମ କଟକ,ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଦୂଷିତ ଜଳ ଯୋଗାଣ ଯୋଗୁ ୪୨.୨୩ଲକ୍ଷ ଲୋକ ସାଂଘାତିକ ଝାଡ଼ାବାନ୍ତି,୪.୬୩ଲକ୍ଷ ଟାଇଫଏଡ୍ ଓ ୧୨ହଜାର ଲୋକ କିଡନୀ ରୋଗରେ ପୀଡ଼ିତ ହୋଇଛନ୍ତି। ସହରଗୁଡ଼ିକରେ ସ୍ୱେରେଜ ବ୍ୟବସ୍ଥା ଠିକ୍ ନଥିବା, ଡ୍ରେନଗୁଡ଼ିକ ଖୋଲା ପଡ଼ିବା ଓ ର୍ବଜ୍ୟବସ୍ତୁ ନିଷ୍କାସନର ଭିତ୍ତିଭୂମି ଅଭାବ ତଥା ବିସ୍ତୃତ ଉନ୍ନୟନ ଯୋଜନା(ସିଡିପି) ପ୍ରସ୍ତୁତ ନହେବା ଆଦି ସହ ମନମୁଖୀ ପାଣ୍ଠି ଖର୍ଚ୍ଚ ଯୋଗୁ ହଜାର ହଜାର କୋଟି ଟଙ୍କାର ଅପବ୍ୟୟ ହୋଇଛି। କେବଳ ସ୍ୱେରେଜ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିରେ ତ୍ରୁଟି ଯୋଗୁ ୩୦୪୫.୪୪କୋଟି ଟଙ୍କାର ଅନାବଶ୍ୟକ ବ୍ୟୟ ହୋଇଛି। ରାଜ୍ୟର ଏହି ୫ମହାନଗରର ବାସିନ୍ଦାମାନଙ୍କୁ କିଭଳି ଦୂଷିତ ଜଳ ଓ ରୋଗରେ ବଂଚିବାକୁ ଛାଡ଼ିଦିଆଯାଉଛି, ଆଜି ଏଭଳି ଢଙ୍ଗରେ ତା’ର ପୁରା ଗୁମରକୁ ପଦାରେ ଖୋଲିଛନ୍ତି ସିଏଜି।
ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, କୁଆଖାଇ ନଦୀରୁ ପଳାଶୁଣି ପ୍ରବେଶ କୂଅ ଯୋଗେ ଯେଉଁ ଜଳ ରାଜଧାନୀବାସୀଙ୍କୁ ଦିଆଯାଉଛି ତାହା ବୁଢ଼ୀ ନାଳ ଓ କୁଆଖାଇ ନଦୀର ସଙ୍ଗମ ସ୍ଥଳ ହୋଇଥିବାରୁ ପ୍ରଦୂଷିତ ପରିମାଣ ବେଶ୍ ଅଧିକ ଥିଲା। ଏହି ଜଳ ଦୂଷିତ ଥିବାନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ସ୍ୱୀକାର କଲେ। ୨୦୨୨ ଜାନୁୟାରୀରୁ ଜୁଲାଇ ମାସ ମଧ୍ୟରେ ଏହି ଜଳର ମାନକୁ ଯାଂଚ କରାଯାଇଥିଲା। କିନ୍ତୁ ସରକାର ଏହାକୁ ଫାଙ୍କିଦେଲେ। ଜଳ ବିଶୋଧନପରେ ଲୋକଙ୍କୁ ଦିଆଯାଉଛି ବୋଲି ସଫେଇ ଦେଲେ। ଯଦିଓ ଭୁବନେଶ୍ୱର ସହରକୁ କୁଆଖାଇ ନଦୀରୁ ଯୋଗାଣ ହେଉଥିବା ଜଳରେ ବାୟୋକେମିକାଲ ଅମ୍ଳଜାନ ଚାହିଦା, ମୋଟ୍ କୋଲିଫର୍ମ ଓ ଫିକାଲ କୋଲିଫର୍ମ ଅନୁମୋଦିତ ସୀମାଠାରୁ ଅଧିକ ଥିଲା।
ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଖୋଲା ଡ୍ରେନ ଯୋଗୁ ୭ବର୍ଷରେ ୭ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ୬୬ଟି ସ୍ଥାନରେ ରାସ୍ତା ଓ ଡ୍ରେନ ଉପରେ ୧୦୭ଟି ବିଦ୍ୟୁତ ଖୁଂଟ ଓ ଟ୍ରାନ୍ସଫର୍ମର ରହିଛି। ଅନେକ ୫୯ଟି ସ୍ଥାନରେ ଜବରଦଖଲରେ ରହିଛି। ଦୟା ପଶ୍ଚିମ କେନାଲ ଉପରେ ୧୧୯୫ଟି ଘର ଅନଧିକୃତ ଜବରଦଖଲ ହୋଇ ନିର୍ମାଣ ହେବା ଯୋଗୁ କେନାଲ ପାଣି ଅଧିକ ପ୍ରଦୂଷିିତ ହୋଇଥିଲା। ବିଏମସି ୧୧ଟି ସ୍ଥାନରେ କେନାଲରେ ସ୍ୱେରେଜ ଓ ନର୍ଦ୍ଦମା ଜଳ ମଧ୍ୟ ନିଷ୍କାସିତ କରୁଛି। ସ୍ୱେରେଜ ପ୍ରକଳ୍ପ ସମ୍ପୂର୍ଣ୍ଣ ନହେବା ଯୋଗୁ ଭୁବନେଶ୍ୱରରେ ଅନାବଶ୍ୟକ ଭାବେ ୫୫୦.୦୭କୋଟି ଟଙ୍କା ଓ ୧୨ବର୍ଷ ସମୟ ନଷ୍ଟ ହୋଇଛି।
ସେହିପରି ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ୱେରେଜ ପ୍ରକଳ୍ପଗୁଡ଼ିକର ତଦାରଖର ଅଭାବ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୨୩୯କୋଟି ଟଙ୍କାର ପରିବେଶ କ୍ଷତିପୂରଣ ଆଦାୟ ଏପର୍ଯ୍ୟନ୍ତ କରାଯାଇନାହିଁ । ବର୍ଷା ଜଳ ନିଷ୍କାସନ ଓ ସ୍ୱେରେଜ ବ୍ୟବସ୍ଥାର ପରିଚାଳନା ଅଭାବରୁ ପରିବେଶ ଓ ମଣିଷକୁ ପ୍ରଭାବିତ କରୁଥିବା ଜୈବବିବିଧତାର ନକରାତ୍ମକ ପ୍ରଭାବ ଅନୁଭୂତ ହୋଇଛି ବୋଲି ସିଏଜି କହିଛନ୍ତି।
ଜଳ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ୨୦୧୭ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ୪୨.୨୩ଲକ୍ଷ ଲୋକ ସାଂଘାତିକ ଝାଡ଼ାବାନ୍ତି, ୪.୬୩ଲକ୍ଷ ଟାଇଫଏଡ୍ , ୧୨ହଜାର ଲୋକ କିଡନୀ ଓ ୧୨ହଜାର ଲୋକ ହେପାଟାଇଟିସରେ ଆକ୍ରାନ୍ତ ହୋଇଛନ୍ତି । ଯାହାକି ମୁଖ୍ୟତଃ ଦୂଷିତ ଜଳ ଯୋଗୁ ହୋଇଛି । ସେହିପରି ପ୍ରଦୂଷିତ ଜଳରେ ଜଳସେଚନ ସହିତ ଉତ୍ପାଦିତ ପନିପରିବା ଖାଇବା ବିପଦପୂର୍ଣ୍ଣ ଓ ମାନବ ଜୀବନ ପାଇଁ କ୍ଷତିକାରକ । କାରଣ ଏଥିରେ ପ୍ରଚୁର ପରିମାଣରେ ଧାତୁର ବିଷାକ୍ତ ତତ୍ତ୍ୱ ରହିଛି ବୋଲି ସିଏଜି କହିଛନ୍ତି।
ସେହପରି ଏହି ୫ଟି ମହାନଗର ନିଗମରେ ଉତ୍ପନ୍ନ ହେଉଥିବା ୫୫୮.୬୪ ଏମଏଲଡି ସ୍ୱେରେଜ ବର୍ଜ୍ୟବସ୍ତୁ ମଧ୍ୟରୁ ୧୦ ପ୍ରତିଶତରୁ ବି କମ୍ ଅର୍ଥାତ୍ ମାତ୍ର ୫୨.୯୭ ଏମଏଲଡି ସ୍ୱେରେଜ ବର୍ଜ୍ୟବସ୍ତୁକୁ ବର୍ତ୍ତମାନର ସ୍ୱେରେଜ ପ୍ରଣାଳୀରେ ସଂଗ୍ରହ କରାଯାଉଛି । ବାକି ୯୦.୫୨ ପ୍ରତିଶତ(୫୦୫.୬୭ଏମଏଲଡି) ବର୍ଜ୍ୟବସ୍ତୁକୁ ଜଳାଶୟକୁ ଛଡ଼ାଯାଇଥିଲା ଯାହା ଜଳ ପ୍ରଦୂଷଣର କାରଣ ହୋଇଛି । ଏହି ୫ଟି ମହାନଗରରେ ୬୨୮ଟି ଜଳାଶୟ ମଧ୍ୟରୁ ମାତ୍ର ୪୬୦ଟି ସରକାରଙ୍କ ମାଲକାନାରେ ରହିଛି । ସେଥିରୁ ଭୁବନେଶ୍ୱରର ୱାର୍ଡ ନମ୍ବର ୨୩ରେ ୨୩୦ ଡିସିମିଲ ଓ ବାକି ୧.୭୪୭ଏକର ପରିମିତ ୧୭ଟି ସରକାରୀ ଅବ୍ୟବହୃତ ଜଳାଶୟକୁ ବେଆଇନ ଭାବେ ଜବରଦଖଲ କରି କୋଠା ନିର୍ମାଣ କରିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ଅଛି । ଭୁବନେଶ୍ୱରରେ ଗଙ୍ଗୁଆ ଓ କଟକରେ ପେଟାନାଳ ଅତ୍ୟନ୍ତ ପ୍ରଦୂଷିତ ରହିଛି।
ସେହିପରି ବାର୍ଷିକ ବିବରଣୀ ପ୍ରସ୍ତୁତ ନହେବା ଯୋଗୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ୩୩୩.୫୮କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ମଧ୍ୟ ଏହି ମହାନଗରମାନେ ହାତଛଡ଼ା କରିଛନ୍ତି। କନସଲଟାନ୍ସି ସେବା ପାଇଁ ଜିଏସଟି ଓ ସେବା କର ଛାଡ଼ ଯୋଗୁ ରାଜ୍ୟ ରାଜକୋଷରୁ ୩୦.୧୧କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଭୁବନେଶ୍ୱରରେ ଭୂତଳ ଜଳ ହ୍ରାସ ପାଉଥିଲେ ମଧ୍ୟ ଏହାକୁ ଭରଣା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.