ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଚୈତନ୍ୟପଡା ଗ୍ରାମ ଛକ ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର (ଓଡି୦୭ ଏଭି ୪୩୬୫) ସହ ସ୍କୁଟି (ଓଡି୦୭ଏୟୁ ୩୭୧୫) ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବଡବଜାର ଥାନା ପୁରୁଣା ବ୍ରହ୍ମପୁର ଅଞ୍ଚଳର ଗୟା ଦାସ (୩୦) ଓ ଗୁରୁତର ଆହତ ଜଣଙ୍କ ହେଲେ ବ୍ରହ୍ମପୁର ବଡବଜାର ଥାନା ପୁରୁଣା ବ୍ରହ୍ମପୁର ମାର୍ଥା ସାହିର ନିରଞ୍ଜନ @ପିଣ୍ଟୁ ପ୍ରଧାନ (୩୨)।
ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଓ ଗୁରୁତର ଆହତ ଦ୍ବୟଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୟାଙ୍କୁ ମୃତ ଘୋଷଣା କରିଥିଲେ। ନିରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଗୟା ଓ ନିରଞ୍ଜନ ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରୁ ସ୍କୁଟି ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ୫୯ ନଂ ଜାତୀୟ ରାଜପଥ ଚୈତନ୍ୟପଡା ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା। ଘଟଣା ସ୍ଥଳରେ ହିଁ ଗୟାଙ୍କ ମୃତ୍ୟୁ ଘଟିଥିଲା। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।