ଉତ୍କଳ ସମ୍ମିଳନୀ କଟକ ପକ୍ଷରୁ ଭାଷା ଆନ୍ଦୋଳନ ଓଡିଶାର ଅଶୋକ ପରିଡା ସମ୍ବର୍ଦ୍ଧିତ

ଫୁଲବାଣୀ : ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ସମ୍ମାନାର୍ଥେ ବାଲିଯାତ୍ରା ଅବସରରେ କଟକ ଠାରେ ମଧୁମଞ୍ଚରେ ଆମେ ଓଡ଼ିଆ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଓଡ଼ିଆ ଭାଷା ଆନ୍ଦୋଳନ , କନ୍ଧମାଳ ଶାଖାର ସଂଯୋଜକ ସାମାଜିକକର୍ମୀ ଅଶୋକ ପରିଡାଙ୍କୁ ମଞ୍ଚରେ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା ଉଦଘାଟକ ଭାବେ ଯୋଗଦେଇ ଥିବାବେଳେ,
ସଦଗୁରୁ ହସପିଟାଲର ଅଧ୍ୟକ୍ଷ ଡଃ ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଉତ୍କଳ ସମ୍ମିଳନୀର ସଭାପତି ସରୋଜ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସ୍ୱୟଂ ସେବକ ସଂଘର ଲକ୍ଷ୍ମଣ ଚାନ୍ଦାନୀ ଓ ପ୍ରଫେସର ସହଦେବ ପାତ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଧ ଶତାଦ୍ଦୀର ଇତିହାସ,ଓ ଢଗଢମାଳୀ ସମ୍ପର୍କରେ ଆଲୋଚନା କରିଥିଲେ।ମଧୁବାବୁ ଉତ୍କଳ ସମ୍ମିଳନୀର ଆବାହକ ହିସାବରେ ଓଡ଼ଶାକୁ ଭାଷା ଭିତ୍ତିରେ ଦେଶ ସ୍ୱାଧିନତାର ୧୧ବର୍ଷ ପୂର୍ବରୁ ଇଂରେଜ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରାଇବାରେ ସଫଳ ହୋଇଥିଲେ। ହେଲେ ଆମ ରାଜ୍ୟର ନିର୍ବାଚିତ ସରକାର ଆମ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଏଯାବତ କାର୍ଯ୍ୟ କରୀ ନ କରିବା ଦୁର୍ଭାଗ୍ୟ ଜନକ।ଦେଶ ସ୍ୱାଧିନତାର ୧୫ବର୍ଷ ମଧ୍ୟରେ ପ୍ରାଦେଶିକ ଭାଷାକୁ ନିଜ ରାଜ୍ୟର ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ସମ୍ବିଧାନରେ ବ୍ୟବସ୍ଥା ରହିଛି।୧୯୫୪ ମସିହାରେ ଓଡିଶା ବିଧାନସଭାର ପ୍ରଥମ ନିର୍ବାଚିତ ସରକାର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ଭାଷା ଆଇନ ପ୍ରଣୟନ କରିଥିଲେ।କିନ୍ତୁ ଉଲଂଘନ କରୀକୁ ଦଣ୍ଡବିଧାନ ବ୍ୟବସ୍ଥା ନଥିବାରୁ ତାହା ସର୍ବତ୍ର କାର୍ଯ୍ୟକାରୀ ହୋଇପାରୁନାହିଁ।ପରେ ୧୯୬୨ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଅଗଣତାନ୍ତ୍ରିକ ଭାବେ ବିଧାନସଭାରେ ଓଡ଼ିଆ ଭାଷା ସହିତ ଇଂରାଜୀ ଭାଷା କାର୍ଯ୍ୟକାରୀ ହେବ ବୋଲି ଏକ ବିଧେୟକ ଆଣିଥିଲେ ଯାହା ଏକ ପ୍ରତିବନ୍ଧକ ସାଜିଥିଲା।୨୦୧୫ମସିହା ଠାରୁ ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ସୁବାଷ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସବୁ ଜିଲାରେ କଳା ପତକା ମାଧ୍ୟମରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାକୁ ଆନ୍ଦୋଳନ ଆରମ୍ଭ ହେବା ସହ ଗତ ସରକାରଙ୍କ ସହ ଆଲୋଚନା ହୋଇଥିଲା।ଗତ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ ହେଁ ସର୍ବତ୍ର ଓଡ଼ିଆ ଭାଷାର ବ୍ୟବହାର ଓ ଉଲଂଘନ କରୀକୁ ଦଣ୍ଡବିଧାନ ପାଇଁ ନିୟମ ପ୍ରଣୟନ ହୋଇପାରିଲା ନାହିଁ।ଓଡିଆର ଅସ୍ମିତା ବିପଦରେ ଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ନାରା ଦେଇ ସରକାରକୁ ଆସିଲେ। ହେଲେ ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ବାରମ୍ବାର ପତ୍ରାଳାପ ସତ୍ତ୍ଵେ, ଇତି ମଧ୍ୟରେ ୫ମାସ ଅତିକ୍ରାନ୍ତ ହୋଇଥିଲେ ହେଁ, ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦେବାକୁ ବୈଧାନିକ ଭାବେ ଯେଉଁ ପଦକ୍ଷେପ ନେବା କଥା ନେଇନାହାଁନ୍ତି।ଆସନ୍ତା ବିଧାନସଭା ରେ ସରକାର ଏ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଓଡିଶାବାସୀ ଦାବୀ କରିବାକୁ ଶ୍ରୀ ପରିଡା ତାଙ୍କ ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ଆଗାମୀ ଦିନରେ ଭାଷାପ୍ରେମୀ ଆମେ ଓଡ଼ିଆ ମାନେ ଆନ୍ଦୋଳନ ଜୋରଦାର କରିବାକୁ ଅଶୋକ ପରିଡା ଉତ୍କଳ ସମ୍ମିଳନୀ ମଧୁମଞ୍ଚରେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଉତ୍କଳ ସମ୍ମିଳନୀ କଟକ ପକ୍ଷରୁ ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ସେହିପରି ଭଜମନ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.