ରାୟଗଡ଼ା ସହର ରେ ସିଆରପିଏଫ୍ ସ୍ଥାପନା ଦିବସ ପାଳିତ…

ରାୟଗଡ଼ା : କେନ୍ଦ୍ରୀୟ ରିଜର୍ଭ ପୋଲିସ ସୁରକ୍ଷା ବଳ ( ସିଆରପିଏଫ) ର ସ୍ଥାପନା ଦିବସ ପାଳିତ ଅବସରରେ ରାୟଗଡ଼ା ଜିଲ୍ଲା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସ ପରିସରରେ ଦୁଇ ଦିନ ଧରି ସ୍ଥାପନା ଦିବସ ପାଳନ କରାଯାଇଥିଲା। ହେଡ କ୍ୱାଟର୍ସ ପରିସର ପଡ଼ିଆରେ ରବିବାର ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡ଼ା ୪ର୍ଥ ସିଆରପିଏଫ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଦୁଇ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ସିଆରପିଏଫ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ। ଶାନ୍ତି ସ୍ଥାପନା କରିବା ହିଁ ସିଆରପିଏଫର ମୂଳ ଲକ୍ଷ୍ୟ ବୋଲି ଶ୍ରୀ କୁଜୁର ପ୍ରକାଶ କରିଥିଲେ | ୪ର୍ଥ ବାଟାଲିୟନ ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ସଞ୍ଜୟ କୁମାର ରାଉତଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଲୋକ ସମ୍ପର୍କ ଅଧିକାରୀ ସାନ୍ତୁନୁ ସାହୁଙ୍କ ସମେତ ସିଆରପିଏଫ ଯବାନମାନେ ଉପସ୍ଥିତ ରହିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ନଗରବାସୀଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କ ମନୋରଞ୍ଜନ ନିମନ୍ତେ ପଡ଼ିଆରେ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଜିଲ୍ଲାରେ ନିୟୋଜିତ ଥିବା କଲ୍ୟାଣସିଂହପୁର, ରାୟଗଡ଼ା, ବିଷମକଟକ, ଗୁଡାରୀ, ମୁକୁନ୍ଦପୁର, ଶେଷଖାଲ ୪ର୍ଥ ବାଟାଲିୟନର ସିଆରପିଏଫ ଯବାନମାନଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲ ଗୁଡିକରେ ସୁଆଦିଆ ଚଟପଟି ଖାଦ୍ୟ ସହ ଫୁଟବଲ ଗୋଲ ମାରିବା, ବେଲୁନ ଫୋଟାଇବା, ଗୁଡି ଗୁଡି ଖେଳ, ମାଗଣା ଚିକିତ୍ସା ଶିବିର, ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଆଦି ଷ୍ଟଲଗୁଡିକରେ ସ୍ଥାନ ପାଇଥିଲା I ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟଗୀତ ଭଳି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ସୋମବାର ଉଦ‌ଯାପନୀ ଉତ୍ସବର ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟୱାରୀ, ଜିଲ୍ଲା ଆରକ୍ଷୀ ଅକ୍ଷକ ସ୍ବାତି ଏସ କୁମାର, ଖଣ୍ଡୀୟ ବନ ଅଧିକାରୀ ସଚିନ ଆନ୍ନାସାହେବ ଓହଲେ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ସମେତ ସିଆରପିଏଫ କମାଣ୍ଡେଣ୍ଟ ଶ୍ରୀ କୁଜୁର, ସେକେଣ୍ଡ ଇନ କମାଣ୍ଡେଣ୍ଟ ଶ୍ରୀ ରାଉତଙ୍କ ସମେତ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ଦୀର୍ଘ ୧୭ ବର୍ଷ ତଳେ ୨୦୦୭ ମସିହାରେ ମାଓ ପ୍ରବଣ ରାୟଗଡ଼ା ଜିଲ୍ଲାରେ ୪ର୍ଥ ବାଟାଲିୟନ ସିଆରପିଏଫ ମୁତୟନ ହୋଇଥିଲା। ଯାହା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ଓ ଭାଇଚାରା ବଜାୟରଖିବା ଦିଗରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ଜନ ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସମାୟୁନୁକ୍ରମେ ଜନସାଧାରଣଙ୍କ ବିପୁଳ ସମର୍ଥନ ପାଇବାରେ ସଫଳ ହୋଇଥିବା ଅତିଥିମାନେ ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.