ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିରଫ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲ୍ଲାକୁ କାନାଡା ପୁଲିସ୍‌ ଗିରଫ କରିଛି। ଗତ ମାସରେ କାନାଡାରେ ହୋଇଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିବା ଜଣାପଡ଼ିଛି।
ମିଲଟନ ଟାଉନରେ ଅକ୍ଟୋବର ୨୭ କିମ୍ବା ୨୮ ତାରିଖରେ ଗୋଟିଏ ଗୁଳିକାଣ୍ଡ ଘଟଣା ଘଟିଥିଲା। ଏଥିରେ ଅର୍ଶ ଡାଲା ସାମିଲ ରହିଥିଲା। ତା’ର ଗିରଫ ସମ୍ପର୍କରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି।
ଭାରତୀୟ ଗୁଇନ୍ଦା ଏଜେନ୍ସିର ତଥ୍ୟ ଅନୁଯାୟୀ, ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ। ଭାରତରେ ତା’ ନାଁରେ ମାମଲା ରହିଥିବାରୁ ସେ ନିଜ ପତ୍ନୀ ସହ କାନାଡାରେ ରହୁଥିଲା। ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୁଲିସ ସର୍ଭିସ ଯାଞ୍ଚ କରୁଥିଲା।
ଯାଞ୍ଚ ପରେ ତା’କୁ ପୁଲିସ୍‌ ଗିରଫ କରିଛି। ଭାରତୀୟ ସୁରକ୍ଷା ଏଜେନ୍ସି ବେଶ ଯତ୍ନର ସହ ପୂରା ଘଟଣା ଉପରେ ନଜର ରଖିଛନ୍ତି ଓ ଅଧିକ ତଥ୍ୟ ପାଇଁ କାନାଡାର ଅଧିକାରୀଙ୍କ ଯୋଗାଯୋଗରେ ରହିଛନ୍ତି।
ଡାଲ୍ଲା ହେଉଛି ଖଲିସ୍ତାନୀ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ। ସେ ନିହତ ଆତଙ୍କବାଦୀ ହରଦୀପ ସିଂହ ନିଜାରର ବେଶ ଘନିଷ୍ଠ ଥିଲା। ନିଜାରର ମୃତ୍ୟୁ ପରେ ଡାଲ୍ଲା ପୂରା ସଂଗଠନକୁ ଚଳାଉଛି।
ଚଳିତ ବର୍ଷ ସେପ୍ଟେମ୍ବରରେ ପଞ୍ଜାବର ମୋଗା ଜିଲ୍ଲାରେ କଂଗ୍ରେସ ନେତା ବଲଜିନ୍ଦର ସିଂହ ବାଲ୍ଲିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ ଡାଲ୍ଲା ନିଜକୁ ଦାୟୀ କରିଥିଲା।
ବଲଜିନ୍ଦର କୁଆଡ଼େ ତା’ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି ଓ ସେ ବାଧ୍ୟ ହୋଇ ଅଣ୍ଡରୱାର୍ଲ୍ଡରେ ପାଦ ରଖିଛି। ତା’ ମା’ର ଗିରଫଦାରୀ ପଛରେ ବଲଜିନ୍ଦର ଥିଲେ ବୋଲି ଡାଲ୍ଲା ଅଭିଯୋଗ କରିଥିଲା।
ଅର୍ଶଦୀପ ଡାଲ୍ଲା ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏର ୱାଣ୍ଟେଡ ତାଲିକାରେ ମଧ୍ୟ ରହିଛି। ସେ ପଞ୍ଜାବର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ କରିବା ପରେ ୩ରୁ ୪ ବର୍ଷ ହେଲେ କାନାଡାରେ ରହିଥିଲା।

nis-ad
Leave A Reply

Your email address will not be published.