ଏକୁଜଟ୍ ନରହିଲେ କଂଗ୍ରେସ ଛଡ଼ାଇ ନେବ ସଂରକ୍ଷଣ; ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟକୁ ଘେରିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ବିଜେପି ୪୦୦ ଆସନ ଜିତିଲେ ସମ୍ୱିଧାନ ବଦଳାଇ ଦେବ ଏବଂ ସଂରକ୍ଷଣ ଛଡ଼ାଇ ନେବ ବୋଲି ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିଥିଲା । ଯାହାର ପ୍ରଭାବ ମହାରାଷ୍ଟ୍ର, ୟୁପି ପରି ରାଜ୍ୟରେ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ବିଜେପି ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ କମ ଆସନ ମିଳିଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବେ କଂଗ୍ରେସ ବିରୁଦ୍ଧରେ ସମାନ ରଣନୀତି ଆପଣାଇଛି । ମଙ୍ଗଳବାର ମହାରାଷ୍ଟ୍ରର ଚିମୁରରେ ଏକ ନିର୍ବାଚନୀ ରାଲିକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ୱୋଧନ କରିଛନ୍ତି । ରାଲିରେ ପିଏମ୍ ମୋଦୀ କହିଛନ୍ତି, ‘ଆପଣମାନେ ଏକଜୁଟ୍ ନରହିଲେ, କଂଗ୍ରେସ ସଂରକ୍ଷଣ ଛଡ଼ାଇ ନେବ ।’

ପିଏମ୍ ମୋଦୀ କହିଛନ୍ତି, ‘ଯଦି ଆପଣ ଏକଜୁଟ୍ ନରହିବେ, ଆପଣଙ୍କ ମଧ୍ୟରେ ଫାଟ ହେଲେ ପ୍ରଥମେ କଂଗ୍ରେସ ଆପଣଙ୍କ ସଂରକ୍ଷଣ ଛଡ଼ାଇ ନେବେ ।’ ସେ କହିଛନ୍ତି ଯେ ଦେଶର ସବୁଠୁ ପୁରୁଣା ପାର୍ଟି କଂଗ୍ରେସ ଦେଶର ଲୋକଙ୍କୁ ଜାତି ଆଧାରରେ ବିଭାଜିତ କରୁଛି । ଆମେ ସମସ୍ତେ ଏକ ହୋଇ ରହିବା ଦରକାର, ଫଳରେ ବିକାଶର ଯାତ୍ରା ଜାରି ରହିବ । ସେ କହିଛନ୍ତି ଯେ ଦେଶ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି ଆଦିବାସୀ । କଂଗ୍ରେସ ଏମାନଙ୍କୁ ଜାତି-ଜାତିରେ ବିଭାଜିତ କରିବାକୁ ଚାହୁଁଛି । ସେ କହିଛନ୍ତି ଯଦି ଆଦିବାସୀ ସମୁଦାୟ ଭାଗ ଭାଗ ହୋଇଯିବେ ତେବେ କଂଗ୍ରେସ ସେମାନଙ୍କ ଅସ୍ତିତ୍ୱକୁ ଲିଭାଇ ଦେବ । କଂଗ୍ରେସ ଯୁବରାଜ ବିଦେଶରେ ଏହି କଥା କହୁଥିଲେ । ଆମେ କଂଗ୍ରେସର ଷଡ଼ଯନ୍ତ୍ର ବୁଝିବା ଦରକାର ଏବଂ ଏକଜୁଟ୍ ହୋଇ ରହିବାକୁ ପଡ଼ିବ ।

‘ବଟୋଗେ ତୋ କଟୋଗେ’ ଏବଂ ‘ଏକ ହେ ତୋ ସେଫ୍ ହେ’ ନାରା ଦେବା ପରେ ବିଜେପି ଏବେ ଆଉ କାର୍ଡ ଖେଳିଛି । ଏବେ ଏକଜୁଟ୍ ରହିବା କଥା କହି ସଂରକ୍ଷଣ କାର୍ଡ ଖେଳିଛି । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ପଛୁଆ ବର୍ଗ ଏବଂ ଆଦିବାସୀଙ୍କ ନିଜ ଆଡ଼କୁ ଟାଣିବା ପାଇଁ ବିଜେପି ଏହି ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ଏବେ ନିର୍ବାଚନୀ ପ୍ରଚାର ପାଇଁ ଏକ ସପ୍ତାହ ରହିଛି । ଏହା ପୂର୍ବରୁ ପିଏମ୍ ନରେନ୍ଦ୍ର ମୋଦୀ ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସକ୍ରିୟତା ବଢିଛି । ବିଜେପି ରଣନୀତିକାରଙ୍କ କହିବା ଅନୁସାରେ ଏକଜୁଟ୍ ରହିବା ନାରାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ।

nis-ad
Leave A Reply

Your email address will not be published.