ଭୁବନେଶ୍ବର: ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସମାଲ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି। ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ। ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି। ଯୋଗଦେବା ପରେ ଜାଣିବେ କେଉଁମାନେ ଅଛନ୍ତି। ବିଜେପି ବିଧାୟକ ବିଜେଡି ଲିଙ୍କରେ ଥିବା ସାଂସଦ ମୁନା ଖାନଙ୍କ ବୟାନ ଉପରେ କହିଛନ୍ତି ଯେ, ଯେଉଁମାନେ ବିଜେଡିରୁ ଆସିଛନ୍ତି ସେମାନେ ଯୋଗାଯୋଗ କରନ୍ତୁ। ସାମିଲ କରିବାକୁ ଚେଷ୍ଟା କରନ୍ତୁ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ ନେଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, ସେ କଥା ଆମେ କହୁନୁ ତାଙ୍କ ଦଳର ପୂର୍ବତନ ବିଧାୟିକା କହିଛନ୍ତି। ତାଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ପ୍ରଚାର କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସେ ଦେଖିଛନ୍ତି ସରକାରୀ କର୍ମଚାରୀ କେମିତି ଆଦେଶ ଦେଉଥିଲେ। ବିଧାୟକଙ୍କୁ ସରକାରୀ କର୍ମଚାରୀ ନିର୍ଦ୍ଦେଶ ଦେଉଥିଲେ। ସେ ଜାଣିଛନ୍ତି ଗୁମର କଥା, ନବୀନ ବାବୁଙ୍କୁ ହରାଇବା ପାଇଁ କି ଚକ୍ରାନ୍ତ ହୋଇଥିଲା। ସେ ଭିତର କଥା ଜାଣି ପାରିଥିଲେ। ନବୀନଙ୍କୁ ହରାଇବା ପାଇଁ ବଡ଼ ଚକ୍ରାନ୍ତ ଚାଲିଥିଲା ବୋଲି ସେ କହିଥିବା ସାଂସଦ କହିଛନ୍ତି। ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ କହିଥିଲେ, ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି।
ସୂଚନାଯୋଗ୍ୟ, ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପିର ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଛାଡି ବିଜେପି ମୁଁହା ବ୍ଲକ ପଞ୍ଚାୟତସ୍ତର ନେତା। ପଂଚାୟତ ପୌର ନିର୍ବାଚନ ପାଇଁ ଏବେଠୁ ସଜବାଜ। ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ସଂଖ୍ୟାରେ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର, ଭଦ୍ରକ, ନୟାଗଡ, ସାନଖେମୁଣ୍ଡି, କଟକ, ଯାଜପୁର ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରର ନେତା ବିଜେପିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସଙ୍କ ସହ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି କଟକ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଧର୍ମେଷ ନାୟକ ଓ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଜେଡି ଯୁବ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅସିତ ଦାସଙ୍କ ସମେତ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ନିର୍ବାଚନ ବେଳେ ଦଳ ଛାଡ଼ିଥିବା ସାନଖେମୁଣ୍ଡିର ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁରର ଯୁବ ନେତା ବିଭୁତି ପଟ୍ଟନାୟକ ତାଙ୍କ ଶହଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁରର ଅନେକ ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।