ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ମାସର ଆରମ୍ଭ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ କରାଯାଉଛି। ଏଥିରେ କାର୍ଯ୍ୟକ୍ଷେତ୍ରରେ ସାଧୁତା, ସ୍ଵଚ୍ଛତା ଏବଂ ଦାୟିତ୍ଵନିଷ୍ଠା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ କର୍ପୋରେଟ୍ କାର୍ଯ୍ୟାଳୟ ସମେତ ଟିପିଏସ୍ଓଡିଏଲର ସମସ୍ତ କାର୍ଯ୍ୟାଳୟରେ ଆୟୋଜିତ ଭିଜିଲାନ୍ସ ଶପଥ ପାଠ ସମାରୋହରେ କର୍ମଚାରୀମାନେ ସାମୂହିକ ଭାବେ ନୈତିକ ଅଭ୍ୟାସ ବଜାୟ ରଖିବା ଏବଂ ଏକ ସ୍ୱଚ୍ଛ କର୍ମ ପରିବେଶ ସୃଷ୍ଟି କରିବାକୁ ଶପଥ ନେଇଥିଲେ।

ଟିପିଏସ୍ଓଡିଏଲର କର୍ପୋରେଟ୍ କାର୍ଯ୍ୟାଳୟରେ ଏହି ମାସବ୍ୟାପୀ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏଠାରେ ଏକତ୍ରିତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, “ନୈତିକ ଅଭ୍ୟାସ ପ୍ରତି ଆମର ମିଳିତ ପ୍ରତିବଦ୍ଧତା ଏକ ସମୃଦ୍ଧ ରାଷ୍ଟ୍ର ପାଇଁ ଭିତ୍ତିଭୂମି ନିର୍ମାଣ କରେ। ସଚ୍ଚୋଟତାର ସହ ନିଆଯାଇଥିବା ପ୍ରତ୍ୟେକ କାର୍ଯ୍ୟ ଏକ ଦୁର୍ନୀତିମୁକ୍ତ କର୍ମକ୍ଷେତ୍ର ଏବଂ ସମାଜର ପରିକଳ୍ପନାକୁ ସାକାର କରିଥାଏ । ସଚ୍ଚୋଟତା, ଦୁର୍ନୀତି ନିବାରଣ ଏବଂ ସାମାଜିକ ଦାୟିତ୍ୱବୋଧର ସଂସ୍କୃତି ଆପଣାଇବା ଦିଗରେ ଆମେ ସମସ୍ତେ ପ୍ରତିବଦ୍ଧ ହେବା ଉଚିତ।”

ଏହି ମାସବ୍ୟାପୀ ପଦକ୍ଷେପର ଏକ ଅଂଶ ଭାବରେ ଟିପିଏସ୍ଓଡିଏଲ୍ ନୈତିକତା ଏବଂ ଦୁର୍ନୀତି ବିରୋଧୀ ଅଭ୍ୟାସ ସମ୍ପର୍କିତ ଆଲୋଚନାରେ କର୍ମଚାରୀ ଏବଂ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତା ଦେବା ପାଇଁ ବ୍ରହ୍ମପୁରରେ ଟିପିଏସ୍ଓଡିଏଲ୍ କର୍ମଚାରୀମାନେ ଏକ ୱାକାଥନ୍ କରିବେ।

ଟିପିଏସ୍ଓଡିଏଲ୍ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ସ୍ଥାନୀୟ ଗୋଷ୍ଠୀ ଏବଂ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଦୁର୍ନୀତି ଅଭ୍ୟାସ ଚିହ୍ନଟ କରିବା ଏବଂ ତାହାର ମୁକାବିଲା କରିବା, ଦୈନନ୍ଦିନ କାର୍ଯ୍ୟକଳାପରେ ସଚ୍ଚୋଟତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉପରେ ଲୋକଙ୍କୁ ସଚେତନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଯୁବଗୋଷ୍ଠୀଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଟିପିଏସ୍ଓଡିଏଲ୍ ସ୍କୁଲ ଓ କଲେଜରେ “ଦୁର୍ନୀତିମୁକ୍ତ ଭବିଷ୍ୟତ ଗଢ଼ିବାରେ ଯୁବପିଢ଼ିଙ୍କ ଭୂମିକା” ବିଷୟକ ଆଲୋଚନା ଚକ୍ର ଆୟୋଜନ କରିବ।

ଏହି ସଚେତନତା ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜନ କରାଯିବ। ଦୈନନ୍ଦିନ ଜୀବନରେ ନୈତିକ ଆଚରଣର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ନାଟକ ମାଧ୍ୟମରେ ଦୁର୍ନୀତି ନିବାରଣ, ନୈତିକ ନିଷ୍ପତ୍ତି ଏବଂ ନାଗରିକ ଦାୟିତ୍ୱବୋଧ ଇତ୍ୟାଦି ବିଷୟବସ୍ତୁ ଉପରେ ଆଲୋକପାତ କରାଯିବ।

ବ୍ୟାପକ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। ନୈତିକ ଅଭ୍ୟାସ ଆପଣାଇବା, ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ରିପୋର୍ଟ କରିବା ଏବଂ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ସମାଜ ଗଠନରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।

ଟିପିଏସ୍ଓଡିଏଲର ଭିଜିଲାନ୍ସ ଓ ସୁରକ୍ଷା ମୁଖ୍ୟ ଶ୍ରୀ ଦଲବୀର ସିଂ ବୈରୱାଲ ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି।

nis-ad
Leave A Reply

Your email address will not be published.