ବିଜେଡି ନେତା ପ୍ରତାପ ପଲାଇ ହତ୍ୟା ମାମଲା: ୧୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆସିକା: ଆସିକା -ବ୍ରହ୍ମପୁର ମୁଖ୍ୟ ରାସ୍ତାରେ କରଞ୍ଜେଇ ଛକ ନିକଟରେ ୨୦୧୭ ନଭେମ୍ବର ୬ ତାରିଖ ରାତ୍ରି ପ୍ରାୟ ଆଠ ଘଣ୍ଟା ସମୟରେ ଚଳନ୍ତି ଆକବରୀ ବସରେ ଆସିକା ପକେଲାପଲ୍ଲୀ ଗ୍ରାମର ବିଜେଡି ନେତା ପ୍ରତାପ ପଲାଇଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି।

ହତ୍ୟା ଘଟଣା ପରେ ମୃତ ପ୍ରତାପଙ୍କ ସ୍ତ୍ରୀ (ଆସିକା ଏନ ଏ ସିର ପୂର୍ବତନ କାଉନସିଲର ) ବବିତା ପଲାଇଙ୍କ ଅଭିଯୋଗ ପ୍ରକାରେ ଆସିକା ଥାନାରେ ଏକ ହତ୍ୟା ମାମଲା ୨୩୧/୨୦୧୭  ଆଇ ପି ସି ୩୦୨/୧୦୯/୧୨୦(ଖ)/୩୪, ଆର୍ମସ ଆକ୍ଟ ୨୫(i)(ଖ)ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରଥମେ ଥାନା ଅଧିକାରୀ ବାଲେଶ୍ଵର ଗିଧି ଓ ପରେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଏହି ମାମଲାରେ ତଦନ୍ତ କରିଥିଲେ। ଏହି ମାମଲା ଜେ ଏମ ଏଫ ସି କୋର୍ଟ  ଜି ଆର ୪୨୭/୧୭  ରୁଜୁ ହୋଇ ପାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଏସ ଟି ୪୫/୧୮ ଓ ଏସ ଟି ୬୦/୧୮ ପ୍ରକାରେ ବିଚାର ଆରମ୍ଭ ହୋଇଥିଲା।

ପୁଲିସ ଦୁଇଟି ପର୍ଯ୍ୟାୟରେ ସନ୍ତୋଷ ଦାସ, କୃଷ୍ଣ ଚନ୍ଦ୍ର ବେହେରା, ନୀଳକଣ୍ଠ ଗୌଡ଼, ମନୋରଞ୍ଜନ ନାହାକ, ସାଇ ଶଙ୍କର ପଲାଇ, ବିକ୍ରମ ଜେନା, ରବି ନାହାକ, ସମୀର ବିଶ୍ବାଳ, ଭଗବାନ ସ୍ଵାଇଁ, ଲମ୍ବୁ ତାରିଣୀ, ଶଙ୍କର ନାହାକ, କୃଷ୍ଣ ପ୍ରସାଦ ନାହାକ, ସିଲୁ ପୋଲାଇ, ପ୍ରଣବ ବିଷୋୟୀ, କାଳିଆ ସେଠୀ, ସନ୍ତୋଷ ପାତ୍ରଙ୍କ ନାମରେ ଚାର୍ଜ ସିଟ ଦାଖଲ କରିଥିଲା। ମୋଟ ୪୪ ଜଣ ସାକ୍ଷୀଙ୍କ ମଧ୍ୟରୁ ଅଭିଯୋଗକାରୀଙ୍କ ସମେତ ୨୨ ଜଣଙ୍କୁ ବିଚାରଣ କରିବା ପରେ ଏହି ରାୟ ପ୍ରକାଶ ପାଇଛି। ଏହି ହତ୍ୟା ଘଟଣା ପରେ ଆଇ ଜି ଓ ଏସ ପି ପ୍ରତ୍ୟକ୍ଷ ଭାବେ ଘଟଣାର ମନିଟର କରିବା ସହିତ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ୱାବଧାନରେ ତଦନ୍ତ ହୋଇଥିଲା। ହତ୍ୟା ଘଟଣା ପରେ ଗ୍ରାମରେ ପୁଲିସ ମୁତୟନ ହୋଇଥିଲେ। ଘଟଣା ପରେ ତତ୍କାଳୀନ  ଆସିକା ଥାନା ଅଧିକାରୀ ବାଲେଶ୍ଵର ଗିଧିଙ୍କୁ ଆସିକା ଥାନାରୁ ସୋରଡ଼ା ‌ଥାନାକୁ ବଦଳି କରାଯାଇଥିଲା।  

nis-ad
Leave A Reply

Your email address will not be published.