ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି

କଟକ: ବିବାହ ହେଉଛି ଏକ ଏଭଳି ବନ୍ଧନ ଯାହା କେବଳ ଦୁଇ ଜଣଙ୍କୁ ସଂଯୋଗ କରେ ନାହିଁ ବରଂ ସମାଜ, ପରିବାର ଏବଂ ସଂସ୍କୃତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜରେ ବିବାହର ଗୁରୁତ୍ୱ ଅନେକ ସ୍ତରରେ ରହିଛି । ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ କରିଥାଏ । ଏହା ପରିବାର ମଧ୍ୟରେ ସହଯୋଗ ଏବଂ ସମର୍ଥନ ଭାବନାକୁ ପ୍ରୋତ୍ସାହିତ କରେ । ତେବେ ବିବାହ ଓ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ସମାଜ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଥାଏ । ତେବେ ବିବାହ ଓ ବିଚ୍ଛେଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର କଡ୍ଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏବେ ଆଉ ନୋଟାରୀ ବିବାହ ବୈଧ ନୁହେଁ । ନୋଟାରୀ ବିବାହ ଅବୈଧ । ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ । କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନୋଟାରୀମାନେ ବିବାହ ଅଧିକାରୀ ଭାବେ ନିଯୁକ୍ତ ହୋଇନଥାନ୍ତି । ନୋଟାରୀ ଆକ୍ଟ- ୧୯୫୨ ଅଥବା ନୋଟାରୀଜ୍ ରୁଲ୍-୧୯୫୬ ଅନୁସାରେ ସେମାନେ ବିବାହ କିମ୍ବା ବିବାହ ବିଛେଦ ସମ୍ପର୍କିତ ଦଲିଲ୍ ପ୍ରସ୍ତୁତ କରିପାରିବେ ନାହିଁ । ନୋଟାରୀ ଜରିଆରେ ବିବାହ ବୈଧ ହୋଇନଥିଲେ ମଧ୍ୟ ଜାଣି ଶୁଣି ହେଉ ବା ଅଜଣାତରେ ହେଉ ନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ଅନୁଭବ କରାଯାଉଥିବାରୁ ଯାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ନୋଟାରୀ ଆଇନ ୧୯୫୨ ଧାରା ୮ (ଉପଧାରା ୮)ରେ ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ବା ବିବାହ ବିଚ୍ଛେଦକୁ ବୈଧ ବୋଲି ମାନ୍ୟତା ଦିଆଯାଇ ନାହିଁ । ସେହିପରି ୧୯୫୬ ନୋଟାରୀ ଆଇନରେ ମଧ୍ୟ ଏହାକୁ ସ୍ୱୀକୃତି ଦିଆଯାଇ ନାହିଁ । ପୁନଶ୍ଚ କେବଳ ବିବାହ ନୁହେଁ, ବିଚ୍ଛେଦ କ୍ଷେତ୍ରରେ ମଧ୍ୟ ନୋଟାରୀମାନଙ୍କ ନିକଟରେ ପ୍ରସ୍ତୁତ ଦଲିଲ ଅଦାଲତରେ ଗ୍ରହଣୀୟ ହେବ ନାହିଁ । ମାତ୍ର ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନୋଟାରୀମାନେ ବିବାହ, ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଓ ନଥିପତ୍ର ପ୍ରସ୍ତୁତ କରୁଥିବା ଦେଖାଯାଉଛି ।

ଆଇନତଃ ଏହା ବୈଧ ନହେଲେ ମଧ୍ୟ ଏହାକୁ ବିଭିନ୍ନ ଅନୁଷ୍ଠାନ ସ୍ୱୀକୃତି ଦେଉଛନ୍ତି । ଯାହାଦ୍ୱାରା ଭାରତ ସରକାର ପ୍ରଣୟନ କରିଥିବା ଆଇନର ଉଲଂଘନ ହେଉଛି ଏବଂ ଅନେକ କ୍ଷେତ୍ରରେ ବିଭ୍ରାଟ ମଧ୍ୟ ସୃଷ୍ଟି ହେଉଛି । ତେଣୁ ନୋଟାରୀମାନେ ଏଥିରୁ ବିରତ ରହିବାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଏବଂ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛି । ନୋଟାରୀମାନେ ଏହି କାର୍ଯ୍ୟ ସମ୍ପାଦନ କଲେ ତାହା ଅବୈଧ ଘୋଷିତ ହେବ ଏବଂ ସମ୍ପୃକ୍ତ ନୋଟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

nis-ad
Leave A Reply

Your email address will not be published.