ଯାଜପୁରରେ ଗଡ଼ିଲା ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ରଥ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ଶ୍ରଦ୍ଧାଳୁ । ଗଡିଛି ବିଜୟା ରଥ,ଅସତ୍ୟ ଉପରେ ହେବ ସତ୍ୟର ବିଜୟ । ମନ୍ଦିରରୁ ବାହାରି ସିଂହଧ୍ୱଜ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ ।

ଗତକାଲି ପ୍ରଥମ ଦିନରେ ରଥ ପ୍ରତିଷ୍ଠା ହୋଇ ବିଳମ୍ବିତ ରାତିରେ ରଥ ଗଡ଼ିଥିବା ବେଳେ ଆଜି ଆରମ୍ଭ ହୋଇଛି ରଥ ଟଣା l ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ । ପ୍ରତିପଦା ଠାରୁ ଆରମ୍ଭ ହୋଇଛି ମାଆଙ୍କ ନବଦିନାତ୍ମକ ରଥଯାତ୍ରା । ମହାନବମୀ ଯାଏଁ ପ୍ରତିଦିନ ରଥାରୁଢ ହୋଇ ମାଆ ବେଢା ପରିକ୍ରମା କରିବେ । ଲାଖବିନ୍ଧା ପର୍ବରେ ମହିଷାସୁର ବଧ କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ମାଆ ।

ଭିଡକୁ ଦୃଷ୍ଟିରେ ରଖି ଶାରଦୀୟ ଦୂର୍ଗାପୂଜା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଶକ୍ତିପୀଠରେ ରଥଯାତ୍ର୍ରା ଭଳି ବିରଳ ପରମ୍ପରା ଦେଖିବାକୁ ମିଳେ ଓଡ଼ିଶାର ଯାଜପୁର ମା ବିରଜାଙ୍କ କ୍ଷେତ୍ରରେ। ଏଥିପାଇଁ ସେଥି ଚଳଚଂଚଳ ପରିବେଶ ସୃଷ୍ଟି ହୋଇଛି।

ସୁନିଆ ତିଥିରେ ବିଲ୍ୱବରଣ ପରେ ବେଲ ଗଛ କଟାଯିବା ପରେ ଆରମ୍ଭ ହୋଇଥିଲା ରଥକାମ । ମା’ ଙ୍କ ରଥ ନିର୍ମାଣରେ ୧୫ରୁ ଅଧିକ କାରିଗର ଲାଗନ୍ତି l ପିତାମହ ବ୍ରହ୍ମଦେବ ଏହି ରଥର ସାରଥୀ ବୋଲି ବିଶ୍ୱାସ ଅଛି । ମା’ଙ୍କ ରଥର ଉଚ୍ଚତା ୫୬ ଫୁଟ ହୋଇଥିବା ବେଳେ ଏହି ରଥଯାତ୍ରା ବିଶ୍ୱରେ ବିରଳ ବୋଲି କୁହାଯାଏ ।

nis-ad
Leave A Reply

Your email address will not be published.