ପାବୁରିଆଠାରେ ମା’ ଗୃହ ସେବା ସମ୍ପର୍କୀତ ସଚେତନତା

ଫୁଲବାଣୀ- ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ମଧ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିଶୁ ଓ ମାତୃ ମୃତ୍ୟ ହାର କମାଇବାରେ ଆନୁଷ୍ଠାନିକ ପ୍ରସବର ମହତ୍ୱ ଯଥେଷ୍ଟ ଅଧିକ ଏବଂ ଯାହାକୁ ସଫଳ କରିବାକୁ ସରକାର ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳଙ୍କ ଜରିଆରେ ବିଭିନ୍ନ ସ୍ଥାନରେ ମା’ ଗୃହର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ସ୍ୱାତୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳଙ୍କ ମିଳିତ ସହଯୋଗରେ ଟିକାବାଲି ବ୍ଲକର ଛତିଝାର ଠାରେ ଏକ ମା ଗୃହ ପରିଚାଳିତ ହୋଇ ଆସୁଅଛି ଏବଂ ପାବୁରିଆ ଅଂଚଳର ଅଧିବାସୀ ମାନେ ମଧ୍ୟ ଏଥିରୁ ଲାଭବାନ ହେଉଛିନ୍ତି । କିନ୍ତୁ ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ପାବୁରିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ବୈଠକ ଗୃହ ଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ନ୍ୟାଏବ ସରପଂଚ ଲଳିତା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଅଂଚଳରେ ଥିବା ଅନ୍ଧବିଶ୍ୱାସ କୁ ଦୂରେଇ ଅନୁଷ୍ଠାନରେ ପ୍ରସବ କରାଇବାକୁ ଆହ୍ୱାନ ଦେଇଥିଲେ, ତତ୍ ସହିତ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ରେଣୁକା ପ୍ରଧାନ ଓ ପାବୁରିଆ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ମାନସ ରଞନ ସାହୁ ଉପସ୍ଥିତ ରହି ପ୍ରସବ ପୂର୍ବରୁ, ପ୍ରସବ ସମୟରେ ଓ ପ୍ରସବ ପରେ କିପରି ଯତ୍ନର ଆବଶ୍ୟକତା ଓ ଗୁରୁତ୍ୱ ରହିଛି ତାହା ବୁଝାଇଥିଲେ । ତତ୍ସହିତ ବାଲ୍ୟବିବାହ ହେବା ଦ୍ୱାରା କିପରି ମାତୃ ଓ ଶିଶୁ ମୃତ୍ୟୁହାର ବଢାଉଛି ତାହା ମଧ୍ୟ ଆଲୋକପାତ କରିଥିଲେ ଏବଂ ମା ଗୃହରେ ରହି ଡାକ୍ତରଖାନାରେ ପ୍ରସବ ହେବା ନିମନ୍ତେ ଆଗାମି ସମସ୍ତ ଗର୍ଭବତୀଙ୍କୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନ ତରଫରୁ ସ୍ୱାସ୍ଥ୍ୟ ସଂଯୋଜକ ବିଶ୍ୱରଞନ କର ଉପସ୍ଥିତ ରହି ସୁରକ୍ଷିତ ମାତୃତ୍ୱ ଲାଭ ନିମନ୍ତେ ଆନୁଷ୍ଠାନିକ ପ୍ରଶବର ର ଗୁରୁତ୍ୱକୁ ବୁଝାଇବା ସହ ମା ଗୃହର ସେବା କିପରି ସଂଯୋଗିକରଣ କରୁଛି ତାହା ଜଣାଇଥିଲେ । ମା ଗୃହ ତରଫରୁ ରାମେଶ୍ୱରୀ ଦିଗାଲ, ଗୀତାଞ୍ଜଳି କହଁର, ସୁନେମିଆ ଦିଗାଲ ଓ ପ୍ରିୟଦର୍ଶନୀ ପ୍ରଧାନ ଦିଆଯାଉଥିବା ସେବାଗୁଡିକ ବିଷୟରେ ବିସ୍ତୃତ ବିବରଣୀ ରଖି କିପରି ସମସ୍ତ ଗର୍ଭବତୀ ସେଠାକୁ ଆସି ସୁରକ୍ଷିତ ମାତୃତ୍ୱ ଲାଭ କରିପାରିବେ ତାହା ଅନୁରୋଧ କରିଥିଲେ । ସ୍ଥାନୀୟ ଏ.ଏନ.ଏମ. ଶର୍ମୀତା କହଁର ଓ ଆରତି ପ୍ରଧାନ ଉପସ୍ଥିତ ରହି ସ୍ଥାନୀୟ ଅଂଚଳରେ ଥିବା ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ବିଷୟରେ ଉପସ୍ଥାପନା କରିବା ସହ ମା ଓ ଶିଶୁ ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ମା ଗୃହ ସେବାର ଅଧିକରୁ ଅଧିକ ଫଳପ୍ରଦ ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କ ମତାମତକୁ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମରେ ଆଶା ଫିଲିମିନା ପ୍ରଧାନ, ଲିପିମା ଦିଗାଲ, ହେମାମାଳିନୀ ପ୍ରଧାନ, ତିନିମା ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ କିଶୋରୀ ବାଳିକା, ପ୍ରସୁତି ଓ ଗର୍ଭବତୀ,ମହିଳା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.