ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କେବେ ହେଲେ ଏପରି ପ୍ରସଙ୍ଗ ମୁଁ ଉଲ୍ଲେଖ କରିନାହିଁ, ଏନେଇ ମିଥ୍ୟା ପ୍ରଚାର ହେଉଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମଡିଆ ଆକାଉଣ୍ଟ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କୁ ଆଶ୍ବସନା ଦେବାକୁ ଚାହୁଁଛି ଯେ, ମୁଁ ସେପରି କୌଣସି ବିବୃତ୍ତି ଦେଇ ନାହିଁ । ଝାଡ଼ଖଣ୍ଡରେ ରହୁଥିବା ସମସ୍ତ ଓଡିଆ ଭାଇ ଓ ଭଉଣୀମାନେ ସେମାନଙ୍କର ଝାଡଖଣ୍ଡ ପରିଚୟ ପାଇଁ ଗର୍ବିତ । ମୁଁ ଝାଡଖଣ୍ଡର ବିକାଶ ତଥା ସମୃଦ୍ଧତା ପାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି । ବିଜେପି ଝାଡଖଣ୍ଡ ରାଜ୍ୟ ସୃଷ୍ଟି କରିଛି ଏବଂ କେବଳ ବିଜେପିର ଶାସନ କାଳରେ ଝାଡଖଣ୍ଡର ସର୍ବଦଳୀୟ ବିକାଶ ସମ୍ଭବ ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି ।

ମୋର ସାମ୍ବାଦିକ ସମ୍ମିଳନୀ ସମ୍ବନ୍ଧରେ କିଛି ତଥାକଥିତ ନ୍ୟୁଜ୍ ପୋର୍ଟାଲ୍ ଏବଂ ସୋସିଆଲ୍ ମିଡିଆରେ ବିଭ୍ରାନ୍ତିକର ଏବଂ ମିଥ୍ୟା ଖବର ପ୍ରସାରିତ ହେଉଛି । ଯେଉଁଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଓଡିଶାର ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବାକୁ ଚାହୁଁଛନ୍ତି ।

ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶା ସହିତ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି, କାରଣ ସେଗୁଡ଼ିକ ମୁଖ୍ୟତଃ ଓଡିଆ ଭାଷାଭାଷୀ ଅଞ୍ଚଳ । ଏନେଇ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଓଡିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରାଯାଇ ଏହାର ଦାବି କରାଯାଇଥିଲା ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପ୍ରଚାର ସମୟରେ ମୋହନ ମାଝୀ କହିଥିଲେ ଯେ, ଝାଡ଼ଖଣ୍ଡର ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍, ସରେଇକେଲା ଏବଂ ଖରସୁଆନ୍ ଅଞ୍ଚଳରେ ରହୁଥିବା ୪୦ ଲକ୍ଷରୁ ଅଧିକ ଓଡିଆ ଭାଷାଭାଷୀ ଲୋକଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଛି । “ଓଡିଆ ଭାଷା ଓ ସଂସ୍କୃତି ଶେଷ କରିବାକୁ ହେମନ୍ତ ସୋରେନ୍ ସରକାର ଉଦ୍ୟମ କରୁଛନ୍ତି । ଏଠାରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡିଆ ଭାଷାଭାଷୀ ଲୋକଙ୍କର ସମସ୍ତ ଅସୁବିଧା ଦୂର ହେବ ବୋଲି ସେ ଦାବି କରିଛନ୍ତି ।

ଏହା ସହ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି । ୨୦୦୭ ମସିହାରୁ ଓଡିଆ ପାଠ୍ୟ ପୁସ୍ତକ ଯୋଗାଣ ବନ୍ଦ କରି ଝାଡଖଣ୍ଡର ଓଡିଆ ବିଦ୍ୟାଳୟକୁ ଅବହେଳା କରିଥିବାରୁ ସେ ପୂର୍ବ ବିଜେଡି ସରକାରକୁ ଦାୟୀ କରିଛନ୍ତି । “ମୋ ସରକାର ପାଠ୍ୟକ୍ରମର ପୁନର୍ବିଚାର କରିବେ ଏବଂ ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ଆରମ୍ଭ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ।” ଝାଡଖଣ୍ଡର ଓଡିଆ ବିଦ୍ୟାଳୟର ଶିକ୍ଷକଙ୍କ ସମ୍ମାନ ପ୍ରତି ମାସରେ ୩ ରୁ ୬ ହଜାର ଟଙ୍କା ଦ୍ୱିଗୁଣିତ ହେବ ବୋଲି ମୋହନ ଘୋଷଣା କରିଛନ୍ତି ।

ଯଦିଓ ନବୀନ ପଟ୍ଟନାୟକ ସରକାର ଏହି ରାଶିକୁ ୪ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.