କାଲିଠୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଦିନ ୧ଟାରୁ ସର୍ଭେ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତାକାଲି ଠାରୁ ୨୩ ପର୍ଯ୍ୟନ୍ତ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହେବ ।  ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି  ।  ୨୪ ତାରିଖ ସୁଦ୍ଧା ବୈଷୟିକ ସର୍ଭେ ଶେଷ କରିବାକୁ ASI  ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିଥିଲେ ।  ସେପଟେମ୍ବର ୨୪ ରୁ ଦଶହରା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଚିଠିରେ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।  ଏହା ପରେ ଏ.ଏସ୍ ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଯାଞ୍ଚ ପାଇଁ ତାରିଖ ସ୍ଥିର ହୋଇଛି ।

ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଏହି ଯାଞ୍ଚ କରାଯିବ ।  ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ଯାଞ୍ଚ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।  ଏହି ୩ ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟାରୁ ଯାଞ୍ଚ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

nis-ad
Leave A Reply

Your email address will not be published.