ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ବାରିପଦା : ଗତ କାଲି ବିଶ୍ୱକର୍ମା ପୂଜା ବଡ଼ ଧୁମଧାମରେ ସରିଥିଲା । ଆଉ ଆଜି ଥିଲା ଭଷାଣୀ । ମୂର୍ତ୍ତି ବିସର୍ଜନ ପାଇଁ ଦୁଇ ଛାତ୍ର କେନାଲ ପାଖକୁ ଯାଇଥିଲେ । କିନ୍ତୁ କେନାଲ ପାଖରେ ଜଗି ବସିଥିଲା ଯମ । ସବୁ କିଛି କ୍ଷଣିକରେ ସରିଗଲା । କେନାଲର ପ୍ରଖର ସୁଅରେ ଭାସିଗଲେ ଦୁଇ ଜଣ ଛାତ୍ର । ଏବେ ଉଦ୍ଧାର ହୋଇଛି ତାଙ୍କ ମର ଶରୀର । ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଙ୍କ ଜୀବନ ଯାଇଛି । ଦୀର୍ଘ ୩ ଘଣ୍ଟା ଧରି ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା ଅଗ୍ନିଶମ ବିଭାଗ । କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା । ଆଉ କେନାଲ ପାଣିରେ ଭାସି ଦୁଇ ଛାତ୍ରଙ୍କ ମୃତ୍ୟୁ ହେଲା । ପରିବାର ଲୋକଙ୍କ ଅବସ୍ଥା ନକହିବା ଭଲ ।

ସୂଚନା ଅନୁସାରେ ମଞ୍ଚାବନ୍ଧାସ୍ଥିତ ଏକ ଘରୋଇ ଆବସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ର ବିଶ୍ବକର୍ମା ମୂର୍ତ୍ତି ବିର୍ସଜନ ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତ ଦୁଇ ଛାତ୍ର ହେଉଛନ୍ତି ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗାଁର ଠାକୁର ସୋରେନ ଓ ଟାଟୋ ଅଞ୍ଚଳର ବଡ଼ଗାଁ ଗାଁର ଭାଗ୍ୟ ପ୍ରକାଶ ପାତ୍ର । ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବାବେଳେ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ ଭାଗ୍ୟ ପ୍ରକାଶ । ସାଙ୍ଗକୁ ଉଦ୍ଧାର କରିବା ପାଇଁ ଠାକୁର ସୋରେନ ମଧ୍ୟ ପାଣିରେ ପଶିଥିଲେ । କିନ୍ତୁ ଲଘୁଚାପ ଜନିତ ବର୍ଷା ପାଇଁ ଅଧିକ ପାଣି ଥିବାରୁ ଦୁଇ ଜଣ ଭାସି ଗଲେ । ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବାରିପଦା ଅଗ୍ନିଶମ ବାହିନୀ । ଛାତ୍ରଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା । କିନ୍ତୁ ଯାହାର ସମୟ ସରିଯାଇଥାଏ ତାକୁ କିଏ ବା ବଞ୍ଚାଇ ପାରିବ । ଆଉ ଅବେଳରେ ଏ ଦୁଇ ଛାତ୍ରଙ୍କ ଜୀବନ ବି ଏମିତି ଚାଲିଗଲା ।

ସୂଚନା ଥାଉକି ୪ଦିନ ତଳେ ଗଣେଶ ପୂଜା ମୂର୍ତ୍ତି ବିର୍ସଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁର୍ବଣ୍ଣରେଖା କେନାଲରେ ୨ଜଣ ଛାତ୍ର ବୁଡି ଯାଇଥିଲେ । ତେବେ ପୁଣି ଏଭଳି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ହେଁ କେହି ସତର୍କ ହେଉନାହାନ୍ତି । ୪ ଦିନ ପୂର୍ବର ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏ ଭୟଙ୍କର ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଛି ।

nis-ad
Leave A Reply

Your email address will not be published.