ମକା ଫସଲ ଖାଇଯିବାରୁ ଷଣ୍ଢକୁ ବାନ୍ଧି ୭ଦିନ କାଳ ଉପାସରେ ରଖିଲା ଜମି ମାଲିକ

ଉମରକୋଟ: ଦୁନିଆରେ ଏଭଳି ମାନବିକତା ହୀନ ଏବଂ ନୃଶଂସ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି । ଯେମିତି ସେମାନଙ୍କ ମନରେ ଦୟା, କ୍ଷମା କିଛି ବି ନଥାଏ । ତେବେ ମାନବିକତାର ସବୁ ସୀମା ପାର କଲାଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯେଉଁଠି ଦେଖିବାକୁ ମିଳିଛି ମଣିଷର ଅମାନବିକତା । କେତେ ନିଚ୍ଚ ମାନସିକତା ହୋଇପାରେ ଏଇ ମଣିଷର । ଗୋଟିଏ ବୁଲା ଷଣ୍ଢ ମକା ଫସଲ ଖାଇଯିବାରୁ ଜମି ମାଲିକ ତାକୁ ସାତ ଦିନ କାଳ ଏକ ଗଛରେ ବାନ୍ଧି ଦେଇଥିବା ଭଳି ଘଟଣା ଦେଖିବାକୁ ମିଳିଛି । କଣ ଚକିତ ହୋଇଗଲେ ନା ।

ତେବେ ଏହିଭଳି ଦୁଃଖଦ ଚିତ୍ର ରାଇଘର ସ୍ଥିତ କୋଦଭଟା ଅଞ୍ଚଳରେ ଦେଖିବାକୁ ମିଳିଛି । ମକା ଫସଲ ଖାଇଗଲା ବୋଲି ଗୋଟିଏ ଷଣ୍ଢକୁ ୭ ଦିନ ବାନ୍ଧି ରଖିବା ସହିତ ଉପାସରେ ରଖିଥିଲା ଜମି ମାଲିକ । ମୟୂରଭଞ୍ଜ ଜିଲ୍ଲା ଏହି ଘଟଣା ଏବେ ସମଗ୍ର ମଣିଷ ଜାତିରୁ ଲଜ୍ଜିତ କରିଛି ଆଜ୍ଞା । ଏହି ଅକୁହା ପଶୁଟି ବା କଣ ଜାଣିଛି । କାହା ଜମି କାହା ଫସଲ ସେ ବା କଣ ବୁଝିବ । ହେଲେ ଏଇ ମଣିଷ ତ ବୁଝିପାରୁଛି ନା । ତାର ତ ବୁଦ୍ଧି ବିବେକ ଅଛି ନା । ଓଳିଏ ଉପାସ ରହିଲେ ମଣିଷର ମୁଣ୍ଡ ବିନ୍ଧା ବାହାରିଯାଏ । ହେଲେ ଏଠି ପଶୁଟିକୁ ଦୀର୍ଘ ୭ ଦିନ ଧରି ଖାଇବାକୁ ନଦେଇ ଦଣ୍ଡ ଦେଇଛି ଏଇ ମଣିଷ । କଣ ପଶୁଟେ ବୋଲି? କଥା କହି ନିଜ କଷ୍ଟ ବଖାଣିବାର ଶକ୍ତି ନାହିଁ ବୋଲି?

ତେବେ ଭୋକ ଉପାସରେ ଦୀର୍ଘ ୭ଦିନ ଧରି ରହିଥିବା ଷଣ୍ଢର ଚିତ୍କାର ଏତେ ବିକଳ ଥିଲା ଯେ ଯାହାକୁ ଶୁଣି ଥୟ ଧରିପାରିନଥିଲେ ଅଞ୍ଚଳର କିଛି ଯୁବକ । ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ପୋଲିସ୍ ପହଞ୍ଚି ଗଛରେ ବନ୍ଧା ହୋଇଥିବା ଷଣ୍ଢଟିକୁ ଖୋଲିଥିଲା ।

ସୂଚନା ଥାଉକି, ସପ୍ତାହ ପୂର୍ବେ ଏକ ବୁଲା ଷଣ୍ଢ ଜଣେ ମକା ଚାଷୀର ଫସଲ ଖାଇଯିବାରୁ ମାଲିକ ଜଣକ ତାକୁ ଜମି ନିକଟରେ ଥିବା ଏକ ନୀଳଗିରି ଗଛରେ ବାନ୍ଧି ରଖିଥିଲା । ସପ୍ତାହ କାଳ ଖାଇବା ଓ ପିଇବାକୁ ନ ପାଇ ଷଣ୍ଢଟି ଛଟପଟ ହୋଇ ଚିତ୍କାର କରୁଥିଲା । ତେବେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଷଣ୍ଢଟିର ଏଭଳି କରୁଣ ପରିସ୍ଥିତି ଦେଖି ତାକୁ ଖାଇବାକୁ ଦେବାପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଜମି ମାଲିକ ସେମାନଙ୍କୁ ଗାଳି ଗୁଲଜ କରୁଥିଲା ।

ଯାହାଫଳରେ କେହି ଷଣ୍ଢକୁ ଉଦ୍ଧାର କରିବାକୁ ସାହାସ ବି କରି ପାରୁନଥିଲେ । ଶେଷରେ କିଛି ଯୁବକ ସାହସ ଜୁଟାଇ ରାଇଘର ପୋଲିସକୁ ଏ ନେଇ ସୂଚନା ଦେବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣାକୁ ସବୁଆଡେ ନିନ୍ଦା କରାଯାଇଥିବାବେଳେ, ଘଟଣା ଘଟାଇଥିବା ଜମି ମାଳିକକୁ ଉଚିତ୍ ଶାସ୍ତି ଦେବାପାଇଁ ପଶୁପ୍ରେମୀ ମାନେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.