ବନ୍ଦେ ଭାରତ ଟ୍ରେନ ଉଦଘାଟନ କାର୍ଯ୍ୟକ୍ରମ ରେ ପୋଷ୍ଟର ପଲିଟିକ୍ସ – ବିଜେପିରେ ବଡ ଫାଟ..!

ପ୍ରଦୀପ ଅଛନ୍ତି,ବିଭୂତି ଗାଏବ..!

ବ୍ରହ୍ମପୁର – ରାଜନୈତିକ ଦୃଷ୍ଟି କୋଣରୁ ଗଞ୍ଜାମ ଜିଲ୍ଲାର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି। କେବଳ ନିର୍ବାଚନ କାହିଁକି ବରଂ ପ୍ରତିଟି କାର୍ଯ୍ୟରେ ବେଶ ଚର୍ଚ୍ଚାରେ ରହିଥାଏ ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର କୁହାଯାଉଥିବା ବ୍ରହ୍ମପୁର। ରବିବାର ମଧ୍ୟ ରାଜ୍ୟରେ ଖୁବ୍ ଚର୍ଚ୍ଚାରେ ରହିଥିଲା ରେଶମ ସହର। କାରଣ ଅବସର ଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ। ଏଥିପାଇଁ ଗେରୁଆ ମୟ ହୋଇଯାଇଥିଲା ସିଲକ୍ ସିଟି। ସବୁଠି ରାଜନେତାଙ୍କ ମାଳ ମାଳ ପୋଷ୍ଟର ଓ ବ୍ୟାନର। କିନ୍ତୁ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ପୋଷ୍ଟର ଅନେକ କିଛି କଥା କହୁଥିଲା। ବ୍ରହ୍ମପୁର ଷ୍ଟେସନ ପରିସରରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ବିଧାୟକ ବ୍ରହ୍ମପୁର ଏହି ପୋଷ୍ଟର ମାରିଥିଲେ। ଏଥିରେ କେ. ଅନୀଲ କୁମାରଙ୍କ ଫଟୋ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ ଏବଂ ଅନ୍ୟ ଏକ ପୋଷ୍ଟର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବ୍ରହ୍ମପୁର ସାଂସଦ ଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସହରରେ ଏବଂ ସ୍ଥାନୀୟ ରାଜନୈତିକ କରିଡ଼ରରେ ଏବେ ଅନେକ ପ୍ରଶ୍ନ ଉଠିଛି। ଚର୍ଚ୍ଚା ହେଉଛି, ଦଳ ସିନା କ୍ଷମତାକୁ ଆସିଛି କିନ୍ତୁ ଗଞ୍ଜାମ ଏବଂ ବ୍ରହ୍ମପୁର ବିଜେପିରେ ଏକ ଅଦୃଶ୍ୟ ଫାଟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରୁ ଦୁଇ ଦୁଇଟି ମନ୍ତ୍ରୀ ଥିଲେ ମଧ୍ୟ ଜଣଙ୍କ ଫଟୋ ବି ଏହି ପୋଷ୍ଟରରେ ନାହିଁ। ବିଶେଷ କରି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଫଟୋ କୁ ପୋଷ୍ଟର ରେ ଜାଗା ନଦେବା ସଭିଙ୍କୁ ଚକିତ କରିଛି। ଯଦି ବ୍ରହ୍ମପୁର ବିଧାୟକ ,ସ୍ଥାନୀୟ ସାଂସଦଙ୍କ ଫଟୋ କୁ ବ୍ୟବହାର କଲେ, ତେବେ ମନ୍ତ୍ରୀଙ୍କୁ କାହିଁକି ଭୁଲିଗଲେ ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଆଲୋଚନା ହେଉଛି, ଗତ ସାଧାରଣ ନିର୍ବାଚନ ଠାରୁ ବିଜେପିରେ ବିବାଦ ଓ ବିଭ୍ରାଟ ରହିଛି। ବିଜେଡି ନେତାଙ୍କ ବିଜେପି ଆଗମନ ପରେ ପଦ୍ମ ଟିକେଟ୍ ହାତେଇବା ଅସଲ ଦଳୀୟ ନେତାଙ୍କୁ ବାଧା ଦେଇଥିଲା। ପରେ ଏହାକୁ ନେଇ ଏବେ ବି ଶୀତଳ ଯୁଦ୍ଧ ଲାଗି ରହିଛି। ଖାସ୍ କରି ବ୍ରହ୍ମପୁର ସାଂସଦ ଏବଂ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ମଧ୍ୟରେ ଫାଟ ଉପରକୁ ନ ଦିଶିଲେ ମଧ୍ୟ ଉଣା ଅଧିକ ଲୋକଙ୍କୁ ଜଣା। ନିର୍ବାଚନ ସମୟରେ ସିନା ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଥିଲା, କିନ୍ତୁ ଦଳରେ ଉଭୟେ ଉଭୟଙ୍କ ପତ୍ତା କାଟିବାକୁ ଉଦ୍ୟମ ପୁର୍ବରୁ ହିଁ ଚଳାଇଛନ୍ତି। ଏମିତିରେ ବିଭୂତି ବାବୁଙ୍କ ପୂର୍ଵ ପ୍ରତିଦ୍ବନ୍ଦ୍ବି ହେଉଛନ୍ତି ପ୍ରଦୀପ। ଏବେ ଦଳରେ ସିନା ଅଛନ୍ତି ହେଲେ ମନ ମିଶୁନି। ଏପଟେ ବ୍ରହ୍ମପୁର ର ବିଧାୟକ ହୋଇଥିବା କେ. ଅନୀଲ କୁମାର ପ୍ରଦୀପ ବାବୁଙ୍କ ଆଶୀର୍ବାଦରେ ଟିକେଟ ପାଇ ବିଧାୟକ ହୋଇଛନ୍ତି। ତେଣୁ ପ୍ରଦୀପଙ୍କୁ ଛାଡିଦେଲେ ଅନ୍ୟ ବିଜେପି ନେତାଙ୍କ ସହ ତାଙ୍କର ସଂପର୍କ ଏତେ ଭଲ ନାହିଁ। ତେଣୁ ସେ ପୋଷ୍ଟର ରେ କେବଳ ପ୍ରଦୀପ ବାବୁଙ୍କୁ ସ୍ଥାନ ଦେଇଥିବା କୁହାଯାଉଛି। ଆଉ ଏଥିପାଇଁ ପ୍ରଦୀପ ବି ଅନୀଲଙ୍କୁ ଇସାରା ଦେଇଥିବା କୁହାଯାଉଛି। ତେବେ ସେ ଯାହା ହେଉନା କାହିଁକି, କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ ରେ ଲାଗିଥିବା ବ୍ୟାନର କୁ ଦେଖିଲେ ବିଜେପିରେ ପୋଷ୍ଟର ପଲିଟିକ୍ସ ସମେତ ବଡ ଫାଟ ସୃଷ୍ଟି ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.