ରାଜ୍ୟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି, ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ।  ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ।  ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ମୁଖ୍ୟ ସଚିବ ମନୋଜ ଆହୁଜା ଆଜି ଲଗାଣ ବର୍ଷା ଜନିତ ସ୍ଥିତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ କୁହାଯାଇଛି  ।  ୭ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଟିମ ନିୟୋଜିତ କରାଯାଇଛି ।  ମାଲକାନଗିରି ଜିଲ୍ଲାରେ ୬ଟି ଓଡ୍ରାଫ ଟିମ ଓ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ ଟିମ ମୁତୟନ ଅଛନ୍ତି ।  ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ୬ଟି ଏନଡିଆରଏଫ ଟିମ ସଜାଗ ରହିଛନ୍ତି ବୋଲି ଏସଆରସି ଦେଓରଂଜନ ସିଂ କହିଛନ୍ତି ।

ସେପଟେ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ।  ଜିଲ୍ଲାର ପାଙ୍ଗମ, କାଙ୍ଗୁରକୋଣ୍ଡା, ପୋଟେରୁ, ଏମ୍ .ଭି-୭, କନ୍ୟାଶ୍ରମ, MV-୯୦ ଓ MV-୯୬ ପୋଲ ଉପରେ ପାଣି ଚାଲିଛି । ପୋଲ ଉପରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହେଉଛି । ମାଲକାନଗିରିରୁ ମୋଟୁ ଏବଂ ଜୟପୁର ରୁ ମାଲକାନଗିରିକୁ ଯାତାୟାତ ଠପ୍ ହୋଇଯାଇଛି । ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଛି  l

ସେହିପରି ପୋଟେରୁ ନଦୀର ବନ୍ୟା ପାଣି ଗାଁରେ ପଶିଛି । ଲୋକଙ୍କ ଘର ଦ୍ବାର, ଦୋକାନ ବଜାର ପାଣିରେ ବୁଡ଼ି ରହିଛି ।  ଫଳରେ ଲୋକମାନେ ଥାନା ଛାତ ଉପରେ ଆଶ୍ରୟ ନେଇଛନ୍ତି ।  ବଣ୍ଡା ଘାଟିରେ ମାଟି ଅତଡ଼ା ଖସି ଲୋକଙ୍କ ଘରଦ୍ବାର ଭାଙ୍ଗିଯାଇଛି । ଭୟଙ୍କର ବିତ୍ପାତ କରିଛି ବର୍ଷା । ମାଲକାନଗିରି ଜିଲ୍ଲା ପାଇଁ ଦୁଇ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି  । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି  ।

nis-ad
Leave A Reply

Your email address will not be published.