୯ରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆସନ୍ତା ୯ ତାରିଖରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହେବାକୁ ଯାଉଛି। ଭିତରକନିକା ଜାତୀୟ ଉଦ୍ୟାନରେ କେତେ ପ୍ରଜାତୀର ଓ କେତେ ସଂଖ୍ୟାରେ ଦେଶୀୟ ପକ୍ଷୀ ଅଛନ୍ତି ତାହାର ହେବ ଗଣନା।

ଆସନ୍ତା ୯ ତାରିଖରୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ୫ ଦିନ ଧରି ଏହି ଗଣନା ଚାଲିବ। କନିକା ରେଞ୍ଜ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ଏହି ପକ୍ଷୀ ଗଣନା କରାଯିବ।

ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି । ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ବାଛିଥାନ୍ତି ଦେଶୀୟ ପକ୍ଷୀ ।

ଖୋଳା ନଦୀ ମୁହାଣ, ବ୍ରାହ୍ମଣୀ ନଦୀ ପଠା, ଆଦିରେ ଏହି ଦେଶୀୟ ପକ୍ଷୀ ବସବାସ କରୁଥିବା ବେଳେ ବନି, ଗୁଆ, କେରୁଅ, ଓରୁଅ ଭଳି ଗଛ ମାନଙ୍କର କୋରଡ଼ରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଥାଆନ୍ତି । ତେବେ ଜାନୁଆରୀ ମାସରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ।

nis-ad
Leave A Reply

Your email address will not be published.