ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅତିଶୀଘ୍ର ଏଏସଆଇ ପକ୍ଷରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ଏହା ସହ ଉନ୍ନତମାନର ଯଥା ଆଇଆଇଟି ବିଶେଷଜ୍ଞ ଓ ସିବିଆରଆଇ ବିଶେଷଜ୍ଞଙ୍କ ଅନୁପସ୍ଥିତିରେ ଲେଜର ସ୍କାନିଂ ଓ ଜିପିଆରଏସ୍‌ ଦ୍ୱାରା ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି । ଯାଞ୍ଚ ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୋଟିଏ ଖାଲି ଲୁହା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି । କବାଟ କଟାଯାଇ ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରାକୁ ବାହାର କରାଯାଇଥିଲା । ପରେ ପୁଣି କବାଟ ମରାମତି ହୋଇଥିଲା । ଏସବୁକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍‌ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଛି ।

ଏବେ ଭିତର ଏବଂ ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହୋଇଯାଇଛି। ତେଣୁ ଏହାର ମରାମତି ନିମନ୍ତେ ଏଏସଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

nis-ad
Leave A Reply

Your email address will not be published.