ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ଗୁରୁତର : ବ୍ରହ୍ମପୁର ବଡବଜାର ଥାନା ନାବାଳିକା ହତ୍ୟାକାଣ୍ଡରେ ସଂପୃକ୍ତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସରକାରୀ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଅଞ୍ଚଳର ଆଶୁତୋଷ ପାଣିଗ୍ରାହୀ ବୋଲି ଜଣାପଡିଛି। ଗୁରୁତର ଆହତ ପାଣିଗ୍ରାହୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେ ଅଚେତ ଅବସ୍ଥାରେ ଥିବା ଓ ତାଙ୍କ ପକେଟରୁ ଥିବା ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ୍ ଏଟିଏମରୁ ତାଙ୍କର ପରିଚୟ ମିଳିଥିଲା। ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଆହତଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଗୁରୁତର ଆହତ ଆଶୁତୋଷ ଏମ୍ ଫାର୍ମା ପାଠ ପଢ଼ୁଛନ୍ତି। ସୋମବାର ବଡ଼ବଜାର ଥାନା ୭ମ ଲାଇନରେ ଘଟିଥିବା ଭାଇ ଭଉଣୀ ଉପରକୁ ହୋଇଥିବା ଛୁରାମାଡ ଘଟଣାରେ ଆଶୁତୋଷ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ରକ୍ଷାବନ୍ଧନରେ କୈାଣସି କାରଣକୁ ନେଇ ଆଶୁତୋଷ ଜଗନ୍ନାଥ ବିହାର ୭ମ ଲାଇନରେ ତାଙ୍କ ସମ୍ପର୍କୀୟ ନାବାଳିକା ଭଉଣୀ ପ୍ରଯକ୍ତା ପାଣିଗ୍ରାହୀ (୧୩)ଓ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ଉପରେ ଛୁରାମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।‌ ଛୁରାମାଡରେ ପ୍ରଜକ୍ତାଙ୍କ ବ୍ର‌ହ୍ମପୁର ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଆୟୁଷ୍ମାନ ଭୂବନେଶ୍ବରେ ଏକ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଘଟଣା ପରଠାରୁ ଫେରାର ଥିବା ଆଶୁତୋଷ ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ପୋଚିଲିମା ନିକଟରେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍ ସମ୍ମୁଖକୁ ଡେଇଁ ପଡିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଦୂର୍ଘଟଣାରେ ଗୁରୁତର ଆହତ ଆଶୁତୋଷଙ୍କୁ ଅଧିକ ଚିକିତ୍ସା ପାଇଁ ପୁଲିସ ସୁରକ୍ଷା ବଳୟ ଭିତରେ ହିଞ୍ଜିଳିକାଟୁ ଡାକ୍ତରଖାନାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହିଞ୍ଜିଳି ପୁଲିସ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.