” ସକ୍ଷମ” ର ନିଆରା ରକ୍ଷାବନ୍ଧନ ଉତ୍ସବ

ସୁନ୍ଦରଗଡ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ତାକୁ ପୂରଣ କରିବାକୁ ପଡ଼େ ଅନ୍ନର ଆବଶ୍ୟକତା। ଏହି କାରଣ ପାଇଁ ଅନେକ କ୍ଷେତ୍ରରେ ଚାଷିକୁ ଆପଣାଇବାକୁ ପଡେ ରାସାୟନିକ ଚାଷ ପଦ୍ଧତି। ମାତ୍ର କାଳର କରାଳ ପ୍ରବାହରେ ରାସାୟନିକ ଚାଷ ପାଲଟି ଯାଉଛି ଚାଷୀ ପାଇଁ ମରଣ ଯନ୍ତା। ରାସାୟନିକ ସାର, ପୋକମାରା ଔଷଧ ଆଦି ଗୁଡିକର ଖର୍ଚ୍ଚରେ ଚାଷୀ ହୋଇଯାଏ ହନ୍ତସନ୍ତ। ଏଣୁ ବହୁ ସମୟରେ ଚାଷୀ ଆତ୍ମହତ୍ୟା ଖବର ଆମ ଶ୍ରୁତି ଗୋଚର ହୁଏ। କାଳକ୍ରମେ ଚାଷୀ ପୁଣି ଫେରୁଛି ଜୈବିକ ପଦ୍ଧତି ଚାଷକୁ। ମାତ୍ର ସେହି ଭଳି ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଓ ପ୍ରେରଣା। ଚାଷୀର ସୁଖ ଦୁଃଖରେ ତାଙ୍କ ସହିତ ରହିବାର ପ୍ରୟାସ ଆରମ୍ଭ କରିଛି ବନ୍ଧପାଲି ନିକଟସ୍ଥ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ”।

ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଏହି ସଂସାର କର୍ମକର୍ତ୍ତା ଓ ତାଙ୍କ ପରିବାର ସଦସ୍ୟ ଚାଷୀମାନଙ୍କୁ ତାଙ୍କ ବିଲରେ ସାକ୍ଷାତ କରି ଚାଷ କାମ କରୁଥିବା ସମୟରେ ସ୍ନେହର ପ୍ରତୀକ ରାକ୍ଷୀ ପିନ୍ଧାଇ ଏକ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି ଓ ସଂକେତ ଦେଇଛନ୍ତି ଚାଷୀଙ୍କ ସହିତ ତାଙ୍କ ଘନିଷ୍ଠତାର। ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀର ରକ୍ଷା ତଥା ପରିବେଶ, ପ୍ରକୃତି ଓ ଧରଣୀ ମାଁ ର ରକ୍ଷା ଆଜିର ସମାଜ କରିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି ସକ୍ଷମ ସଭାପତି ଉମେଶ ବାବୁ। ଏହି ଅବସରରେ ଅନୁଷ୍ଠାନର ଉପସଭାପତି କଳାକୃଷ୍ଣ ଓରାମ ଓ କୋଷାଧ୍ୟକ୍ଷ ଅଶୋକ ଦାସ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସକ୍ଷମର ଏହି ପଦକ୍ଷେପକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

nis-ad
Leave A Reply

Your email address will not be published.