ଗୋବରା (ବେଲଗୁଣ୍ଠା) : ‘କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ବେଲଗୁଣ୍ଠା ବ୍ଳକ୍ ଶାଖା ତରଫରୁ ଦେଶର ୭୮ତମ ସ୍ବାଧୀନତା ଦିବସ ପାଳନ ସହ ବ୍ରୁକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋବରା ମୁଖ୍ୟ ସଡକ ପାର୍ଶ୍ବରେ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ବ୍ଳକ୍ ସଭାପତି ସୁରେନ୍ଦ୍ର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ ପରିବେଶ ସୁରକ୍ଷା ଦ୍ରୁଷ୍ଟରୁ ସଂଘ ପକ୍ଷରୁ ବ୍ରୁକ୍ଷ ରୋପଣ କରାଯାଇଥିଲା। ଏଥିରେ ସଂଘ ପକ୍ଷରୁ ସର୍ବଶ୍ରୀ ଶିବରାମ ରାଉତ, ରାଜେନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ଗୌଡ, ଗନ୍ଧିଆ ସ୍ବାଇଁ, ବିଶ୍ବନାଥ ରାଉତ, ବାଲ୍ମିକୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଏକ ସାଧାରଣ ସଭା ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଦେଶର ସ୍ବାଧୀନତା କ୍ଷେତ୍ରରେ କଳାକାର ସମାଜ ନୃତ୍ୟ-ସଙ୍ଗୀତ-ନାଟକ ମାଧ୍ୟମରେ ଲୋକ ସଚେତନ ସହ ସ୍ବାଧୀନତା ରାହାରେ ଝାସ ଦେବା ପ୍ରବର୍ତ୍ତାଇ ଏକ ମହାର୍ହ ନିର୍ବାହ କରିଥିଲେ ବୋଲି ସଭାକୁ ଉଦ୍ବୋଧନ ଦେଇଥିଲେ। ଏହି ଉତ୍ସବରେ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ବରିଷ୍ଠ କଳାକାର ନାରାୟଣ ଗୌଡ, ବ୍ଳକ୍ ସଂଯୋଜକ ଈଶ୍ବର ଚନ୍ଦ୍ର ଗୌଡ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆମ ସ୍ବାଧୀନତାର ଇତିବ୍ରୁତ୍ତ ସମେତ ସଂପ୍ରତି କଳାକାର ମାନଙ୍କ କର୍ତ୍ତବ୍ଯବୋଧ ସଂପର୍କରେ ସବିଶେଷ ଅବତାରଣା କରିଥିଲେ। ସଭାପତି ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ଖୁବ୍ ଶୀଘ୍ର ବେଲଗୁଣ୍ଠା ଠାରେ ସଂଘର ବାର୍ଷିକୋତ୍ସବ ମହାଡମ୍ବର ସହକାରେ ପାଳନ କରାଯିବା ନେଇ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂପାଦକ ରଂଜିତ କୁମାର ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ରମେଶ ଚନ୍ଦ୍ର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।