ଫୁଲବାଣୀ : ଭାରତବର୍ଷର ସ୍ବାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ। ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ୍ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି ସେହି ମହାମନିଷୀମାନଙ୍କୁ ପ୍ରଣାମ ଜଣାଇବା ସହିତ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡଃ ବି.ଆର୍. ଅମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ଏବଂ ଆହୁରି ଅନେକ ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଫୁଲବାଣୀଠାରେ ତାଙ୍କର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହିତ ତ୍ୟାଗ, ତପସ୍ୟା ଓ ବଳିଦାନର ପୂଣ୍ୟପୀଠ କନ୍ଧମାଳ ଜିଲ୍ଲାର ଭାଇ ଭଉଣୀମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ ଅନନ୍ୟ। ଏହି ଜିଲ୍ଲାର କୃତି ସନ୍ତାନ ସ୍ବାଧୀନତା ସଂଗ୍ରାମୀ ଦୋହରା ବିଶୋଇ, ଚକରା ବିଶୋଇ, ନବଘନ କହଁର, ବଉରା ମଳିକ, ଦର୍ଦ୍ଦିଆ ନାଏକ, ବ୍ରାଏ ମଳିକ,ବୀର କହଁର, ମହେଶ୍ଵର କହଁର, ଟିଜ୍ଞା ମଳିକ, ନନ୍ଦ ମଳିକ, ଶଙ୍ଖ ନାଏକ, ଉଭାନ ସି’ ଦଳବେହେରା, ବାହୁବଳେନ୍ଦ୍ର ପ୍ରମୁଖ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଏ ମାଟିକୁ ଗୌରାବାନ୍ବିତ କରିଛନ୍ତି। କନ୍ଧମେଳିର ନେତୃତ୍ବ ନେଇଥିବା ବୀରପୁତ୍ର ମାନଙ୍କୁ ଜନ୍ମଦେଇ କନ୍ଧମାଳ ମାଟି ଧନ୍ୟ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ମଲ୍ଲିକ କହିଥିଲେ ।
ଓଡ଼ିଶା ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ନିର୍ବାଚନ ଚନ ଇସ୍ତାହାର ଏବଂ ପ୍ରଥମ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଶାରେ ଶ୍ରୀମନ୍ଦିର ଚାରିଦ୍ଵାର ଉନ୍ମୁକ୍ତ ହେବା ସହିତ ଶ୍ରୀମନ୍ଦିର କର୍ପସ୍ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ ଏବଂ ରତ୍ନ ଭଣ୍ଡାରର ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ -୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ -୨୦୪୭ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ଓଜନସାଧାରଣ ଙ୍କ ମଧ୍ୟରେ ଥିବା ପ୍ରଶାସନିକ ଦୂରତ୍ବ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବା ସହିତ ଜିଲ୍ଲା ଉପଖଣ୍ଡ ଓ ବ୍ଳକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ଏବଂ ତତ୍କାଳ ସମାଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ କେବଳ ମୁଖ୍ୟମନ୍ତ୍ରୀଜ୍ଞା ଅଭିଯୋଗ ପ୍ରକୋଷ୍ଠରେ ୫ହଜାର ୬୮୪ଟି ଅଭିଯୋଗର ଶୁଣାଣି କରାଯାଇଛି।
ବଜେଟ ଅଟକଳ ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇଛି । ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ଲୋକଙ୍କ ବଜେଟରେ ସମସ୍ତଙ୍କ ବିକାଶ ପାଇଁ ପର୍ଯ୍ୟାପ୍ତ ଯୋଜନା କରାଯାଇଛି । ସେହିପରି ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିକ୍ଷା, ଶିଳ୍ପ, ଯୋଗାଯୋଗ ଓ ପରିବହନ, ଯୁବ ସଶକ୍ତିକରଣ ଓ ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ପର୍ଯ୍ୟଟନ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ, ହସ୍ତତନ୍ତ ଆଦିର ବିକାଶ ପାଇଁ କାର୍ଯ୍ୟକାରୀ ହେବାକୁଥିବା ଯୋଜନା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ୩୦ ଗୋଟି ପ୍ଲାଟୁନ, ୩୦ଜଣ ପ୍ଲାଟୁନ୍ କମାଣ୍ଡର ଓ ୨୫ ଜଣ ଫ୍ଲାଗ୍ ବିଅରର ଏବଂ ପୋଲିସ୍ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଭାଗ ନେଇଥିଲେ। ସେଥିମଧ୍ୟରୁ ୧୦ ଗୋଟି ଶ୍ରେଷ୍ଠ ଦଳକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା। ଅଭିବାଦନ ମଞ୍ଚରେ ମୁଖ୍ୟ ଅତିଥ୍ଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଅମିତ୍ ଋତୁରାଜ ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ। ମଞ୍ଚ ନିକଟରେ ଜନ ପ୍ରତିନିଧୂ, ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।