ହୀରାକୁଦ ଖୋଲିଲା ଆଉ ୬ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୬ ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୧ ହଜାର ୭୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୫୭ ହଜାର ୪୪୮କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ୬୧୧.୬୭ ଫୁଟରେ ପହଞ୍ଚିଛି । ସେପଟେ  ଗେଟ୍ ଖୋଲାଯିବା ଫଳରେ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି।

ସୂଚନାଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ତେବେ ଡ୍ୟାମର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୫ ଫୁଟରେ ରଖା ଯାଇଥାଏ l କାରଣ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେଉଥିବାରୁ ଡ୍ୟାମରେ ୨୫ ଫୁଟ ଉଚ୍ଚତା ଖାଲି ରଖାଯାଇଥାଏ l ଏହାଦ୍ବାରା ଅଗଷ୍ଟ ମାସରେ ଛତିଶଗଡ଼ ପଟୁ ବନ୍ୟା ପାଣି ଅଧିକ ପରିମାଣରେ ଆସିଲେ ସେହି ପାଣିକୁ ଡ୍ୟାମରେ ଭର୍ତ୍ତି କରି ମହଜୁଦ ରଖାଯାଇଥାଏ l

ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଏହାର ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସାମାନ୍ୟ କମିପାରେ । କାଁଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.