ହିଞ୍ଜିଳିକାଟୁ, : ବୁଧବାର ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୧୭ ଏଫ୍ ୯୨୪୪)ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ଖବର ପାଇ ଆସିକା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସାକୁ ଜବତ୍ କରିଛି।
ଏ ନେଇ ଆସିକା ଥାନାରେ କେସ ନଂ- ୫୯୬/୨୪ ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ମିଳି ପାରିନଥିବାବେଳେ ଶବ ଚିହ୍ନଟ ସକାଶେ ୩ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ ବୋଲି ପୁଲିସ କହିଛି। ମୃତକଙ୍କ ପରିଚୟ ମିଳିବା ଦିଗରେ ପୁଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ପ୍ରକାଶ ଯେ, ମଙ୍ଗଳବାର ରାତିରେ ପଦ୍ମପୁର ଜିଲ୍ଲା ପାଇକମାଳ ଅଞ୍ଚଳରୁ ଏକ ଘରୋଇ ଯାତ୍ରୀବାହୀ ବସ୍ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୁଧବାର ଭୋରରେ ୫୯ ନଂ ଜାତୀୟ ରାଜପଥ ଆସିକା ଥାନା ପିତଳ ଛକ ନିକଟରେ ଜୈନିକ ପଥଚାରୀ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ବସ୍ ଚାଳକଙ୍କୁ ଗିରଫ କରି ଆସିକା ଥାନାକୁ ହସ୍ତାନ୍ତର କରିଥିଲେ।